ସର୍ଟ ଷ୍ଟେ ହୋମକୁ ଗଲେ ମହିଳା
ନୟାଗଡ଼,(ବାଘୁଆବାର୍ତ୍ତା): ବହୁ ଚର୍ଚ୍ଚିତ ବେଗୁନିଆ ମହିଳା ନିଖୋଜ ଘଟଣାର ଆଜି ପର୍ଦ୍ଦାଫାସ ହୋଇଛି । ମହିଳାଙ୍କୁ ପୁଲିସ ଉଦ୍ଧାର କରି କଲିକତାକୁ ବେଗୁନିଆ ଆଣିଛି । ମହିଳା ଜଣଙ୍କ ପ୍ରେମ ପାଇଁ ପରିବାରକୁ ପର କରି କଲିକତା ଚାଲି ଯାଇଥିବା ପୁଲିସ ସୂଚନା ଦେଇଛି । ସୂଚନାନୁସାରେ, ବାଘମାରୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରକାଶ ସେଠୀ ଟାଙ୍ଗୀରେ ସପରିବାର ରହୁଛନ୍ତି । ଗତ ୧୯ ତାରିଖ ସଂଧ୍ୟାରେ ତାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ସେଠୀ (ଆରତୀ) ବେଗୁନିଆ ବାପଘରକୁ ଆସିଥିଲେ । ସକାଳେ ଟାଙ୍ଗୀ ଯିବା ପାଇଁ ବସ ଫେଲ ହେବା ପରେ କାରକୁ ଲିଫ୍ଟ ମାଗି ନିଖୋଜ ହୋଇଥିବା ସ୍ୱାମୀ ପ୍ରକାଶ ବେଗୁନିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେସ ନମ୍ବର ୧୩/୨୧ରେ ଏକ ନିଖୋଜ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା । ପୁଲିସ ସିସିଟିଭି ଏବଂ ଆରତୀ ମାଆ ବାଳାମଣିଙ୍କ ମୋବାଇଲ ଏବଂ ଏକ ଡାଇରୀରୁ ମିଳିଥିବା ତଥ୍ୟକୁ ଆଧାର କରି ଥାନା ଅଧିକାରୀ ରଶ୍ମିରଂଜନ ସାହୁ ଏକ ଟିମ ଗଠନ କରି କଲିକତାରେ ପହଞ୍ôଚଥିଲେ । ଆରତୀଙ୍କୁ କଲିକତାରୁ ଉଦ୍ଧାର କରି ଆଜି ସକାଳେ ପୁଲିସ ବେଗୁନିଆରେ ଆଣିଥିବା ଜଣାଯାଇଛି । ନିଖୋଜ ପଛରେ ପ୍ରେମ ସଂପର୍କ ରହିଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛି । ଅନ୍ୟପକ୍ଷେ, ଶାଶୁଘର ଲୋକମାନେ ମହିଳାଙ୍କୁ ଭଲପାଉନଥିବାରୁ ସେ ସ୍ୱାମୀଙ୍କ ପାଖରେ ରହିବେ ନାହିଁ କିମ୍ବା କାହା ସାଙ୍ଗରେ ଯିବା ପାଇଁ ମନା କରିବାରୁ ପୋଲିସ ଆଜି ତାଙ୍କୁ ଖୋର୍ଦ୍ଧାସ୍ଥିତ ସର୍ଟ ଷ୍ଟେ ହୋମ କୁ ପଠାଇଦେଇଛି






