ନୂଆଦିଲ୍ଲୀ: (ବାଘୁଆବାର୍ତ୍ତା) ବିବାଦରେ ନେସଲେ କମ୍ପାନୀ। ଆମେରିକାର ‘ଫାଇନାନ୍ସିଆଲ୍ ଟାଇମ୍ସ’ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଏହି ସ୍ୱିଡେନ୍ କମ୍ପାନୀର ୬୦ ପ୍ରତିଶତ ଖାଦ୍ୟ ଓ ପାନୀୟ ସାମଗ୍ରୀ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି ନେସଲେ ନିଜେ ସ୍ୱୀକାର କରିଛି। କମ୍ପାନୀର ଏକ ଅନ୍ତରୀରଣ ଅଡିଟ ରିପୋର୍ଟକୁ ନେଇ ତର୍ଜମା ଚାଲିଥିବା ବେଳେ ନିଜର ପ୍ରଡକ୍ଟ ସ୍ୱାସ୍ଥ୍ୟ ପାଇଁ ହାନିକାରକ ବୋଲି କମ୍ପାନୀ ସ୍ୱୀକାର କରିଛି। ନେସଲେ କମ୍ପାନୀ ଭାରତରେ କିଟକାଟ୍ ଚକୋଲେଟ, ଆଇସ କ୍ରିମ୍, ଦୁଗ୍ଧ ଜାତ ସାମଗ୍ରୀ, କଫି, ମାଗି ଇତ୍ୟାଦି ଅନେକ ଖାଦ୍ୟ ସାମଗ୍ରୀ ବିକ୍ରି କରୁଛି। ବିଶ୍ୱରେ ନେସଲେ ଏକ ବଡ଼ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରୁଥିବା କମ୍ପାନୀ। କମ୍ପାନୀର ଭାମମୂର୍ତ୍ତିକୁ ନେଇ ପ୍ରଶ୍ନ ଉଠିବା ପରେ ଭାବମୂର୍ତ୍ତି ସଜାଡିବାକୁ ପ୍ରୟାସ କରିଛି ଏହି କମ୍ପାନୀ। ପୂର୍ବରୁ ମାଗିରେ ସୀସାର ପରିମାଣ ଅଧିକ ରହିଥିବା ନେଇ ବିବାଦ ଘେରକୁ ଆସିଥିଲା। ନେସଲେ କହିଛି ଏବେ ତାର ସାମଗ୍ରୀରେ କେତେ ପୁଷ୍ଟିକର ମୂଲ୍ୟ ରହିଛି ତାର ପରୀକ୍ଷା କରୁଛି। ସମଗ୍ର ରଣନୀତି ବଦଳାଇବାକୁ ପ୍ରସ୍ତୁତି ଚାଲିଛି। ଉତ୍ପାଦଗୁଡିକ ଯଥାସମ୍ଭବ ସ୍ୱାଦିଷ୍ଟ ଏବଂ ସ୍ୱାସ୍ଥ୍ୟ ପ୍ରତି ହିତକାରକ କରିବାକୁ ପ୍ରୟାସ ଚାଲିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ନେସଲେର ୩୭ ପ୍ରତିଶତ ଖାଦ୍ୟ ଏବଂ ପାନୀୟଜଳର ରେଟିଂ ୩.୫ ରହିଛି। ଏହା ଅଷ୍ଟ୍ରେଲିଆର ହେଲ୍ଥ ଷ୍ଟାର ରେଟିଂ ସିଷ୍ଟମ ଦ୍ୱାରା ଜାରି କରାଯାଇଛି। ଏହି ସିଷ୍ଟମ୍ ଅଧୀନରେ ଉତ୍ପାଦର ମୂଲ୍ୟାୟନ ମୋଟ ୫ ଷ୍ଟାର ଯାଏ ଦିଆଯାଏ। ଏହି ରେଟିଂକୁ ମଧ୍ୟ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଗୁରୁତ୍ୱ ଦିଆଯାଉଥିବାର ନଜିର ରହିଛି। କମ୍ପାନୀ କହିଛି ଯେ କେତେକ ଉତ୍ପାଦ ଏପରି ଯେ ଚାହା ଯେତେ ଚେଷ୍ଟା କଲେ ବି ସ୍ୱାସ୍ଥ୍ୟ ପାଇଁ ଅନୁକୂଳ ହୋଇପାରିବ ନାହିଁ। କମ୍ପାନୀ ସମସ୍ତ ଉତ୍ପାଦର ପୋର୍ଟଫୋଲିଓ ଉପରେ ଦୃଷ୍ଟି ରଖିଛି। ଲୋକମାନେ କିଭଳି ସୁରକ୍ଷିତ ଓ ସନ୍ତୁଳିତ ଖାଦ୍ୟ ପାଇପାରିବେ ତାଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ନେସଲେର ମୁଖପାତ୍ର କହିଛନ୍ତି। ଭାରତରେ ଏହି କମ୍ପାନୀର ଅନେକ ସାମଗ୍ରୀ ବିକ୍ରି ହେଉଛି । ଲୋକମାନେ ଜାଣିଲେବି ମଧ୍ୟ ଏହି ଖାଦ୍ୟ ସାମଗ୍ରୀକୁ ଅଧିକ ଆଗ୍ରହ ସହିତ ବ୍ୟବହାର କରୁଛନ୍ତି ।






