ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଘରୋଇ ହିଂସା ତୁଟାଇବାରେ ବଡ଼ ଭୂମିକା ତୁଲାଉଛି ‘ମାଧ୍ୟମ’ । ଗତ ୭ ବର୍ଷରେ ମୋଟ ୩୧୧୪ଟି ଅଭିଯୋଗରୁ ୧୯୧୨ଟିରେ ବିଛିନ୍ନ ପରିବାରକୁ ଏକାଠି କରିପାରିଛି । ନ୍ୟାୟ ପାଇଁ ମହିଳାମାନେ ଥାନା ଅପେକ୍ଷା ମାଧ୍ୟମକୁ ଯାଉଛନ୍ତି । ମହିଳା ସହଯୋଗ କେନ୍ଦ୍ର ‘ମାଧ୍ୟମ’କୁ ୮ ବର୍ଷ ଚାଲିଛି । ଏନେଇ ପୁଲିସ ସେବା ଭବନରେ ଏକ ସମାରୋହ ଆୟୋଜିତ ହୋଇଥିଲା । ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଏହାର ରିପୋର୍ଟକୁ ଉନ୍ମୋଚନ କରିଥିଲେ । ସେ କହିଥିଲେ, ପାରିବାରିକ ହିଂସା ସମ୍ବନ୍ଧୀୟ ଅଧିକ ଅଭିଯୋଗ ପଞ୍ଜିକୃତ ହେଉଛି । ତେଣୁ ମାମଲା କରିବା ବଦଳରେ ଆପୋଷ ସମାଧାନକୁ ଗୁରୁତ୍ୱ ଦେଉଛି । ମାଧ୍ୟମ ଯୋଗୁଁ ଘରୋଇ ହିଂସା ମାମଲା ଢ଼େର କମିଛି । ସମାଧାନର ବାଟ ଫିଟିପାରୁଛି । ରିପୋର୍ଟ ଅନୁସାରେ, ଗତ ୭ ବର୍ଷରେ ଟୁଇନ୍ସିଟିରେ ୪୧୦୩ଜଣ ମହିଳା ଘରୋଇ ହିଂସାର ଅଭିଯୋଗ କରିଥିଲେ । ଏଥିରୁ ୩୧୧୪ଟି ଅଭିଯୋଗ ପଞ୍ଜିକୃତ ହୋଇ କାଉନ୍ସିଂଲିଂ ପାଇଁ ମାଧ୍ୟମକୁ ଯାଇଥିଲା । ପ୍ରାୟ ୧୯୧୨ ମାମଲାର ସଫଳ ସମାଧାନ ହୋଇଛି । ‘ହୋମ୍ ଭିଜିଟ୍’ରୁ ସେମାନେ ଖୁସି ଥିବା ଜଣାଯାଇଛି । ଏହାବାଦ୍ ୨୩୨ ଜଣଙ୍କୁ ମାଗଣା ଆଇନ୍ ସହାୟତା ବ୍ୟବସ୍ଥା ହୋଇଛି । ୯୯ଜଣଙ୍କୁ ଡାକ୍ତରୀ ସୁବିଧା ମିଳିବା ସହ ୩୭ଜଣଙ୍କୁ ସୁଧାର ଗୃହରେ ରହିବା ବ୍ୟବସ୍ଥା କରାଯାଇଛି । ପରିବାରିକ ହିଂସା ସୁରକ୍ଷା ଆଇନ୍ ବଳରେ ସୁରକ୍ଷା ଅଧିକାରୀଙ୍କ ଜରିଆରେ ୬୪ଟି ମାମଲା ରୁଜୁ ହୋଇଛି । ସମାରୋହରେ ଆଇଏସ୍ଡି ନିର୍ଦ୍ଦେଶିକା ଶୁଭଶ୍ରୀ ଦାସ କହିଥିଲେ, ତତ୍କାଳୀନ ପୁଲିସ କମିଶନର ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରୟାସରେ ମାଧ୍ୟମ ଗଢ଼ାହେଲା । କଟକ-ଭୁବନେଶ୍ୱର ଡିସିପିଙ୍କ ସହଯୋଗରେ ମାଧ୍ୟମ ଏତେବାଟ ଆଗେଇ ପାରିଲା । ସଫଳତା ଶ୍ରେୟ କାଉନ୍ସିଲର ଓ ଡିସିପିଙ୍କୁ ଦିଆଯିବ । ଆଗକୁ ଅଧିକ ମନୋମାଳିନ୍ୟ ପରିବାରକୁ ଏକାଠି କରିବୁ । ଅତିରିକ୍ତ ପୁଲିସ କମିଶନର ରେଖା ଲୋହାନୀ, ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ, କଟକ ଡିସିପି ପ୍ରତୀକ ସିଂ ଉପସ୍ଥିତ ଥିଲେ । ଆଇଏସ୍ଡି ସଭାପତି ନିବେଦିତା ପଟ୍ଟନାୟକ ସମାରୋହର ପରିଚାଳନା କରିଥିଲେ ।






