ପୁରୀ, (ବାଘୁଆବାର୍ତ୍ତା): ତୁ ତାକୁ ଚିହ୍ନିଲୁ କେମିତି । କେତେଦିନ ହେଲା ମିଶୁଛୁ । ମୋତେ ଲୁଚାଇ ଏମିତି ଚାଲିଛି କେତେ ଦିନ । ଏହିଭଳି କିଛିପଦ କହି ଅତର୍କିତ ଆକ୍ରମଣ କଲା ଜଣେ ଯୁବକ । ଜଣେ ନାବାଳିକା ପାଇଁ ଟାଉନ୍ ଥାନା ଅଧୀନ ଦୋଳମଣ୍ଡପ ସାହିରେ ଯୁବକ ଜଣକ ଅନ୍ୟ ଜଣେ ଯୁବକଙ୍କୁ ବ୍ଲେଡ୍ରେ ଆକ୍ରମଣ କରି ରକ୍ତାକ୍ତ କରିଛି । ଏନେଇ ମାମଲା ରୁଜୁ କରି ପୁଲିସ ସେହି ଯୁବକକୁ ଗିରଫ କରିଛି । ଆକ୍ରମଣକାରୀ ଜଣକ ହେଲା ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଧୀନ ଚିରିକିପଡ଼ା ଗ୍ରାମର କାହ୍ନା ପ୍ରଧାନ (୨୩) । ଆହତ ଜଣକ ହେଲା ଉତ୍ତରପ୍ରଦେଶ ଏହମତ୍ପୁରର ବିକାଶ କୁଶ୍ୱ (୨୦) । ପୁଲିସ କହିଛି ଯେ କାହ୍ନା ସହ ଇନ୍ଷ୍ଟାଗ୍ରାମ୍ରେ ପରିଚିତ ହୋଇଥିଲା ନାବାଳିକା । ୩ ବର୍ଷ ତଳୁ ଉଭୟ ପରସ୍ପରଙ୍କ ରିଲ୍ ଭିଡିଓକୁ ଲାଇକ୍ କରି ବନ୍ଧୁ ହୋଇଥିଲେ । ବନ୍ଧୁତା ପରବର୍ତ୍ତୀ ସମୟରେ ପ୍ରେମରେ ପରିଣତ ହୋଇଥିଲା । ଏମିତି ଉଭୟଙ୍କ ପ୍ରେମ ଭିତରେ ଉତ୍ତରପ୍ରଦେଶର ବିକାଶ ହଠାତ୍ ପ୍ରବେଶ କରିଥିଲା । କିଛିଦିନ ତଳେ ନାବାଳିକାଙ୍କ ଏକାଧିକ ରିଲ୍ ଭିଡିଓକୁ ଲାଇକ୍ କରିଥିଲା ବିକାଶ । ଫଳରେ ନାବାଳିକା ଜଣକ ବିକାଶର ଇନ୍ଷ୍ଟାଗ୍ରାମ୍ ପ୍ରୋଫାଇଲ୍ ଯାଞ୍ଚ୍ କରିଥିଲା । ପରେ ବିକାଶର ରିଲ୍ ଭିଡିଓକୁ ମଧ୍ୟ ନାବାଳିକା ଲାଇକ୍ କରିବା ଆରମ୍ଭ କରିଥିଲା । ବାସ୍ ଏହାପରେ ବିକାଶ ସହ ସୋସିଆଲ୍ ମିଡିଆରେ ସମୟ ବିତାଇଥିଲା ନାବାଳିକା । ସେପଟେ କାହ୍ନାକୁ ଆଗଭଳି ଆଉ ସମୟ ନଦେବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା । ତେଣୁ ବାଧ୍ୟ ହୋଇ କାହ୍ନାକୁ କଥା ହେବା ପାଇଁ ବାରଣ କରି ବିକାଶ ସମ୍ପର୍କରେ ତାକୁ କହିଥିଲା ନାବଳିକା । ତେଣୁ କାହ୍ନା ମୁଣ୍ଡକୁ ପିତ୍ତ ଚଢିଥିଲା । ୪ ଦିନ ତଳେ ବିକାଶ ପୁରୀ ଆସି ଏକ ହୋଟେଲ୍ରେ ରହିଥିଲା । ବୁଧବାର ପୂର୍ବାହ୍ନରେ ଗଣେଶ ପୂଜା ପାଇଁ ଫୁଲ କିଣିବାକୁ ଯାଉଛି କହି ନାବାଳିକା ଘରୁ ଆସିଥିଲା । ଦୋଳମଣ୍ଡପ ସାହିରେ ବିକାଶ ତାକୁ ଭେଟ ହୋଇଥିଲା । ସେପଟେ ବିକାଶ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବା ସହ ନାବାଳିକାର ମୋବାଇଲ୍ ନମ୍ବରକୁ ଟ୍ରାକ୍ କରି କାହ୍ନା ପୁରୀ ପଳାଇ ଆସିଥିଲା । ଦୋଳମଣ୍ଡପ ସାହିରେ ଉଭୟ ଭେଟ ହେବାବେଳେ ଫିଲ୍ମ ଷ୍ଟାଇଲ୍ରେ ପହଞ୍ଚିଥିଲା କାହ୍ନା । ଏହାପରେ ନାବାଳିକା ସମ୍ମୁଖରେ ୨ ପ୍ରେମିକଙ୍କ ଝଗଡ଼ା ଦେଖି ଲୋକେ ରୁଣ୍ଡ ହୋଇଥିଲେ । ଏହି ସମୟରେ ବିକାଶର ବେକମୁଣ୍ଡାକୁ ବ୍ଲେଡ୍ ମାରି କ୍ଷତାକ୍ତ କରିଥିଲା କାହ୍ନା । ସ୍ଥାନୀୟ ଲୋକେ ୩ ଜଣଙ୍କୁ ଅଟକାଇ ପୁଲିସକୁ ହସ୍ତାନ୍ତର କରିଥିଲେ । ବିକାଶର ଏତଲା କ୍ରମେ ପୁଲିସ ମାମଲା ରୁଜୁ କରି କାହ୍ନାକୁ ଗିରଫ କରିଥିଲା । ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବା ପରେ ତାକୁ ଜେଲ୍ ପଠାଇ ଦିଆଯାଇଥିବା ପୁଲିସ କହିଛି । ସେପଟେ ନାବାଳିକାକୁ ତା’ ପରିବାର ଲୋକଙ୍କ ଜିମା ଦେଇଛି ପୁଲିସ ।





