ବାଂଶପାଳ, (ବାଘୁଆବାର୍ତ୍ତା): ପ୍ରଥମେ ପ୍ରେମ, ପରେ ଶାରୀରିକ ସମ୍ପର୍କ ପରେ ଧୋକା । ବାପା-ମା’ ଛେଉଣ୍ଡ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇ ବାରମ୍ବାର ଶାରୀରିକ ସମ୍ପର୍କ ରଖି ଯୁବକ ଏବେ ଫେରାର। ନାବାଳିକା ଜଣଙ୍କ ଏବେ ୭ ମାସର ଗର୍ବବତୀ ହୋଇ ବାର ଦୁଆର ଶୁଣ୍ଢି ପିଣ୍ଢା ହେଉଛନ୍ତି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅଞ୍ଚଳରେ । ବାମେବାରୀ ଥାନା ଅଞ୍ଚଳର ବାପା-ମା’ ଛେଉଣ୍ଡ ନାବାଳିକା ଗତ ୮/୧୦ ମାସ ତଳେ ମଳିବୁହା ପର୍ବରେ ବାଂଶପାଳ ବ୍ଲକ୍ ଅଞ୍ଚଳରେ ରହୁଥିବା ସମ୍ପର୍କୀୟ କାକାଙ୍କ ଘରକୁ ଯାଇଥିଲେ। ସେଠାରେ କିଛି ଦିନ ରହିବା ଭିତରେ ସେହି ଗ୍ରାମରେ ପୋଲ କାମରେ ନିୟୋଜିତ ମନୁ ଦେହୁରୀ ନାମକ ଜଣେ ଯୁବକଙ୍କ ସହିତ ପ୍ରଥମେ ଦେଖା ସାକ୍ଷାତ ଓ ପରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଧୀରେ ଧୀରେ ମନୁଙ୍କ ସହିତ ଶାରୀରିକ ସମ୍ପର୍କ ଗଢି ଉଠିଥିଲା । ନାବାଳିକା ଏବେ ୭ ମାସର ଗର୍ଭବତୀ । ମନୁ ଏହି ଖବର ଜାଣିବା ପରେ ନାବାଳିକାଙ୍କୁ ଏକୁଟିଆ ଛାଡ଼ିଦେଇ କାଞ୍ଜିପାଣି ଥାନା ଅଞ୍ଚଳରେ ଥିବା ନିଜ ଗାଁକୁ ଚାଲିଯାଇଥିଲା । ପରେ ପୀଡ଼ିତ ନାବାଳିକା ଜଣଙ୍କ ଘରକୁ ଚାଲିଯାଇଥିଲେ । ବାପା-ମା’ କେହି ନଥିବାରୁ ନିଜ ମାମୁଁଙ୍କ ଘରେ ରହିଥିଲେ । ହେଲେ ସେ ଗର୍ଭବତୀ ଥିବା ଜାଣି ପାରି ତାଙ୍କୁ ତଡି ଦିଆଯାଇଥିଲା। ଲୋକ ଲଜ୍ଜା ଭୟରେ ନାବାଳିକା ଜଣଙ୍କ କିଛି ଦିନ ଜଙ୍ଗଲରେ ଭୋକ ଉପାସରେ ରହିଥିଲେ । ତେବେ ଗତ ସପ୍ତାହ ତଳେ ଗାଁରେ ଥିବା ବେଳେ ମନୁ ହଠାତ ବାମେବାରି ପଟୁ ଆସୁଥିବା ଦେଖିଥିଲେ ଓ ନାବାଳିକା ଜଣଙ୍କ ତାଙ୍କୁ ପାଖରେ ପାଇ ସାଙ୍ଗରେ ନେଇଯିବା ପାଇଁ ଜିଦ ଧରିଥିଲେ। ମନୁ ତାଙ୍କୁ ସାଙ୍ଗରେ ଆଣିଥିଲା ସତ ହେଲେ ଗତ ସୋମବାର ନାବାଳିକାଙ୍କୁ ଭେଜିଡ଼ିହି ମଲଡା ନଦୀ ପୋଲ ଉପରୁ ଠେଲିଦେବା ପାଇଁ ଯୋଜନା କରୁଥିବା ବେଳେ ଭେଜିଡିହି ଗ୍ରାମର ଛେଳି ଚରାଳିମାନେ ଜାଣିପାରି ତାଙ୍କୁ ଉଦ୍ଧାର କରିଥିଲେ। ମନୁ ଦେହୁରୀ ଛେଳି ଚରାଳିଙ୍କୁ ଦେଖି ଫେରାର ହୋଇଯାଇଥିଲା। ନାବାଳିକା ଜଣଙ୍କ ଏବେ ଛେଳି ଚରାଳି ସମାର ମୁଣ୍ଡା ଓ ସୁବୁନି ମୁଣ୍ଡାଙ୍କ ଘରେ ଆଶ୍ରୟ ନେଇଛନ୍ତି । ଭୋକ ଉପାସରେ ଦିନ କାଟୁଥିବା ନାବାଳିକା ଜଣଙ୍କ ଏବେ ପ୍ରଶାସନିକ ସାହାଯ୍ୟକୁ ଭରସା କରିଛନ୍ତି।





