ନୟାଗଡ଼, (ବାଘୁଆବାର୍ତ୍ତା): ପ୍ରେମ କଲେ। ଶାରୀରିକ ସମ୍ପର୍କ ରଖିଲେ। କିନ୍ତୁ ବାହାଘର କଥା ଉଠିବାରୁ ଧରାଛୁଆଁ ଦେଲେ ନାହିଁ। ଆଉ ଶେଷରେ ପ୍ରେମିକାଙ୍କ ଅଭିଯୋଗ କ୍ରମେ ଗିରଫ ହେଲେ ଏକ ଘରୋଇ ସଂସ୍ଥାରେ କନିଷ୍ଠ ଯନ୍ତ୍ରୀ (ଜେଇ) ଥିବା ପ୍ରେମିକ। ଘଟଣାଟି ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଆଳିରେ। ଗିରଫ ଜେଇଙ୍କ ନାଁ ସମରେନ୍ଦ୍ର ଜଗଦ୍ଦେବ। ସେ ଯାଜପୁରର ଏକ ଘରୋଇ ସଂସ୍ଥାରେ କାର୍ୟ୍ୟ କରନ୍ତି। ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରିତ କରିଥିବା ଅଭିଯୋଗ କରି କେନ୍ଦ୍ରାପଡ଼ା ଥାନା ଅଞ୍ଚଳର ଜଣେ ବିବାହିତା ମହିଳା ଜୁନ୍ ୩୦ ତାରିଖରେ ତାଙ୍କ ନାଁରେ ଆଳି ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲା ଆଧାରରେ ପୁଲିସ୍ ଘଟଣାର ତଦନ୍ତ କରି ସମରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ, ସମରେନ୍ଦ୍ରଙ୍କ ଭଉଣୀଙ୍କ ଶାଶୂଙ୍କ ଘର ପାଖରେ ଏହି ମହିଳାଙ୍କ ଶାଶୂ ଘର। ଭଉଣୀ ଘରକୁ ଯିବାଆସିବା ବେଳେ ଏହି ବିବାହିତା ମହିଳାଙ୍କ ସହିତ ସମରେନ୍ଦ୍ରଙ୍କ ସାକ୍ଷାତ ହୋଇଥିଲେ। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ହୋଇଥିଲା। ପରେ ସେମାନେ ଶାରୀରିକ ସମ୍ପର୍କ ରଖିଥିଲେ। ସମରେନ୍ଦ୍ର ତାଙ୍କୁ ବାହା ହେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ଉକ୍ତ ମହିଳା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିଲେ। ଏହା ପରେ ସମରେନ୍ଦ୍ର ବାହାଘର କଥା ଉଠିବାରୁ ଧରାଛୁଆଁ ଦେଇ ନଥିଲେ। ଫଳରେ ମହିଳା ଜଣଙ୍କ ଥାନାରେ ତାଙ୍କ ନାଁରେ ଅଭିଯୋଗ କରିଥିଲେ। ଆଳି ଥାନା ଆଇଆଇସି ସଲୀଳ ପ୍ରଧାନ କହିଛନ୍ତି, ସମରେନ୍ଦ୍ର ଜଗଦ୍ଦେବକୁ ଗିରଫ କରି ତାକୁ କୋର୍ଟ ଚାଲାଣ କରାଯାଇଛି। ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ମେଡିକାଲ୍ ଯାଞ୍ଚ କରାଯାଇଛି। କୋର୍ଟରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।





