ଭୁବନେଶ୍ୱର, (ବାଘୁଆବାର୍ତ୍ତା): ୫ ବର୍ଷ ଲିଭ୍ ଇନ୍ ରିଲେସନସିପ୍ରେ ରହିଲେ । ବାହା ବି ହେଲେ । କିନ୍ତୁ ପ୍ରେମରେ ବାଧା ସାଜିଲା ସମ୍ପ୍ରଦାୟ । ପରିବାର ଲୋକଙ୍କ ପ୍ରରୋଚନାରେ ସ୍ତ୍ରୀକୁ ଛାଡି ଛୁ ମାରିଲା । ଯୌତୁକ ଲୋଭରେ ଅନ୍ୟତ୍ର ବାହା ହେବାକୁ ଯୋଜନା ରଖିଥିଲା । ଏପଟେ ଠିକଣା ଖୋଜି ସ୍ୱାମୀ ଘରେ ପହଞ୍ଚିବାରୁ ଶଶୁର ଘର ଲୋକଙ୍କ ଆକ୍ରମଣର ଶିକାର ହୋଇଛନ୍ତି ସ୍ତ୍ରୀ । ଶଶୁର ଓ ଦେଢ଼ଶୁର ମିଶି ମହିଳାଙ୍କୁ ନିସ୍ତୁକ ପିଟିଛନ୍ତି । ଏମିତିକି ବୋହୂଙ୍କୁ ଡ୍ରେନକୁ ଠେଲି ଦେଇଛନ୍ତି । ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ଡୁମୁଡୁମାରେ । ଆକ୍ରମଣର ଶିକାର ହୋଇଛନ୍ତି, ବିଷ୍ମୁପ୍ରିୟା ଗଉଡ । ଏନେଇ ସେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସ୍ୱାମୀ ହାଇଦର ଅଲ୍ଲୀଙ୍କୁ ତାଙ୍କ ଘରୁ ଉଠାଇ ଆଣିଛି । ଗିରଫ ଭୟରେ ଶଶୁର ମହମ୍ମଦ ସମସୁଦ୍ଦିନ ଓ ଦେଢ଼ଶୁର ମହମ୍ମଦ ଫରୁକ ଫେରାର୍ ହୋଇଯାଇଛନ୍ତି । ବିଷ୍ଣୁପ୍ରିୟାଙ୍କ ଅଭିଯୋଗ ହେଉଛି ଯେ, ୨୦୧୬ରେ ଗୋଟିଏ ଘରୋଇ ସଂସ୍ଥାରେ ଚାକିରି କରିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ପରେ ଉଭୟେ ଖଣ୍ଡଗିରି ଅଞ୍ଚଳରେ ଲିଭ୍ ଇନ୍ ରିଲେସନସିପ୍ରେ ରହିଲେ । ବିଷ୍ଣୁପ୍ରିୟା ବାରମ୍ବାର ବାଧ୍ୟ କରିବା ପରେ ଉଭୟେ ୨୦୨୧ ଜାନୁଆରୀ ୨୧ରେ ଆମଫୋଇରେ ବିବାହ କରିଥିଲେ । ଅନ୍ୟ ସମ୍ପ୍ରଦାୟର ହୋଇଥିବାରୁ ହାଇଦରଙ୍କ ପରିବାର ବିବାହକୁ ସ୍ୱୀକାର କରିବାକୁ ରାଜି ନଥିଲେ । ପରିବାରର ପ୍ରରୋଚନାରେ ବିବାହର ୨ ମାସ ପରେ ହାଇଦର ବିଷ୍ଣୁପ୍ରିୟାଙ୍କୁ ଛାଡି ନିଜ ଘରକୁ ପଳାଇ ଆସିଲେ । ଏଠାରେ ଅନ୍ୟତ୍ର ବିବାହ ପାଇଁ ଯୋଜନା ଚଳାଇଥିଲେ। ଏ ଖବର ଶୁଣି ବିଷ୍ଣୁପ୍ରିୟା ସିଧା ଡୁମୁଡୁମାସ୍ଥିତ ଶଶୁର ଘରକୁ ଯାଇଥିଲେ । ସେଠାରେ କିନ୍ତୁ ଶଶୁର ଘର ଲୋକଙ୍କ ଆକ୍ରୋଶର ଶିକାର ହେଲେ । ଶଶୁର ମହମ୍ମଦ ସମସୁଦ୍ଦିନ ଓ ଦେଢ଼ଶୁର ମହମ୍ମଦ ଫରୁକ ସମସ୍ତଙ୍କ ସାମ୍ନାରେ ବିଷ୍ଣୁପ୍ରିୟାଙ୍କୁ ନିର୍ଧୁମ ପିଟିଥିଲେ । ଏମିତିକି ଡ୍ରେନକୁ ଠେଲି ଦେଇଥିଲେ । ଶେଷରେ ବିଷ୍ଣୁପ୍ରିୟା ନିରୁପାୟ ହୋଇ ନ୍ୟାୟ ପାଇଁ ପୁଲିସର ସହାୟତା ନେଇଛନ୍ତି ।






