ନୟାଗଡ, (ବାଘୁଆବାର୍ତ୍ତା): ପ୍ରେମ କରି କୋର୍ଟ ମ୍ଯାରେଜ କରିବା ପଡିଲା ମହଙ୍ଗା । ପତ୍ନୀଙ୍କ ଭାଇ ସାଙ୍ଗମାନଙ୍କ ସହ ମିଶି ଯୁବକଙ୍କୁ ଅପହରଣ କରି ଲହୁଲୁହାଣ କଲେ । ଖବର ପାଇ ଅପହରଣର ୧ ଘଣ୍ଟା ମଧ୍ୟରେ ଯୁବକଜଣକୁ ଉଦ୍ଧାର କଲା ଟାଉନ୍ ଥାନା ପୋଲିସ । ଯୁବକଜଣକ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଥିବାବେଳେ ୪ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ । ନୂଆଗାଁ ଥାନା ନିଳାଦ୍ରିପୁର ଗାଁର ଦିନବନ୍ଧୁ ସେଠୀ କେନ୍ଦୁପଲ୍ଲି ଗ୍ରାମର ଜଣେ ଯୁବତୀଙ୍କୁ ଭଲପାଇ ଗତ କିଛିବର୍ଷ ତଳେ କୋର୍ଟ ମ୍ଯାରେଜ୍ କରିଛନ୍ତି । ଯୁବତୀଜଣଙ୍କ ଏବେ ବି ଏସ୍ ଏଫ୍ ରେ କାର୍ଯ୍ଯରତ । ତେବେ ଦିନବନ୍ଧୁ ନିଚ ଜାତିର କହି ଏହି ବିବାହକୁ ଯୁବତୀଙ୍କ ଭାଇ ମାନସ ନାୟକ ବିରୋଧ କରିଆସୁଥିଲେ । ଏପରିକି ବିଭିନ୍ନ ସମୟରେ ମାନସ ଏଥିପାଇଁ ପୁଅ ସହ ଗଣ୍ଡଗୋଳ କରୁଥିଲେ ବୋଲି ଦିନବନ୍ଧୁଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ମାନସ ପୁରୀରେ ପୋଲିସ ଡ୍ରାଇଭରଭାବେ କାର୍ଯ୍ଯ କରନ୍ତି । ଶୁକ୍ରବାର ଅପରାହ୍ନରେ ଦିନବନ୍ଧୁ ନୟାଗଡ ସହରର ପିଡବ୍ଲୁଡି ଲେନ୍ ଥିବା ବେଳେ ମାନସ ଏବଂ ତାର ୩ଜଣ ସାଙ୍ଗ ହଠାତ୍ ସେଠାକୁ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଏକ କାରରେ ଅପହରଣ କରିନେଇଥିଲେ । ଅପହର୍ତ୍ତାମାନେ ଦିନବନ୍ଧୁଙ୍କୁ ବିଭିନ୍ନ ସ୍ଥାନରେ ରଖି ପ୍ରବଳ ମାଡ ମାରିଥିଲେ । ଖବର ପାଇ ଟାଉନ୍ ଥାନା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ରାତିରେ ନବଘନପୁର ରାସ୍ତାରେ ଅପହର୍ତ୍ତା ୪ଜଣଙ୍କୁ ଧରିବା ସହ ଦିନବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା । ଦିନବନ୍ଧୁଙ୍କ ମୁହଁ , ହାତ ଏବଂ ଗୋଡରେ ଗଭିର ଆଘାତ ଲାଗିଥିବାରୁ ସେ ଏବେ ଗୁରୁତର ଅବସ୍ଥାରେ ନୟାଗଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ପୋଲିସ ମାନସଙ୍କ ସମେତ ଲେଙ୍କୁଡିପଡା ଗ୍ରାମର ସୁରେନ୍ଦ୍ର ମହାନ୍ତି ଓ ସନ୍ତୋଷ ଦାସ ଏବଂ ରଘୁନାଥପୁର ଗ୍ରାମର ଅଜିତ୍ ବେହେରାକୁ ଅଟକ ରଖି ଅଧିକ ତଦନ୍ତ କରୁଛି । ଅପହରଣରେ ବ୍ଯବହୃତ କାରକୁ ଜବତ କରିଛି ପୋଲିସ । ପକେଟରେ ରଖିଥିବା ୩୨ହଜାର ଟଙ୍କା ଏବଂ ମୋବାଇଲ୍ ଅପହର୍ତ୍ତାମାନେ ନେଇଯାଇଥିବା ଦିନବନ୍ଧୁ ଅଭିଯୋଗ କରିଛନ୍ତି । ଯେଉଁମାନେ ପୁଅର ଏଭଳି ଅବସ୍ଥା କରିଛନ୍ତି ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉବୋଲି ଦିନବନ୍ଧୁଙ୍କ ମା ଦାବି କରିଛନ୍ତି ।