ଫୁଲବାଣୀ, (ବାଘୁଆବାର୍ତ୍ତା): ପ୍ରଥମ ପତ୍ନୀକୁ ଛାଡି ଦିତ୍ୱୀୟ ବିବାହ କରିଥିବା ଶିକ୍ଷକ ଏବେ ହରଡ଼ ଘଣାରେ । ଶିକ୍ଷକ ଜଣଙ୍କ ହେଲେ ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସୁଜାମା ଜୁ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀପତି ନାୟକ । ଖବର ପାଇ ପ୍ରଥମ ପତ୍ନୀ ନିରୁପମା ଡାକୁଆ ବାଲିଗୁଡା ଥାନାରେ ଏତଲା ଦେଇଛନ୍ତି । ବାଲିଗୁଡା ପୋଲିସ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି । ନିଆଁକୁ ସାକ୍ଷୀ ରଖି ୨୦୦୩ ମସିହାରେ ନିରୁପମାକୁ ବିବାହ କରିଥିଲେ ଶ୍ରୀପତି ନାୟକ । ବିବାହର ୩ ବର୍ଷ ପରେ କନ୍ୟା ସନ୍ତାନଟିଏ ଜନ୍ମ ହୋଇଥିଲା । ଏହାପରେ ସ୍ୱାମୀ ଶ୍ରୀପତି ନାୟକ ଶାରୀରିକ ଓ ମାନସିକ ନିର୍ୟାତନା ଦେବା ଆରମ୍ଭ କରିଦେଲେ । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମନୋମାଳିନ୍ୟ ହୋଇଥିଲା । ମାମଲା କୋର୍ଟରେ ଯାଇ ପହଞ୍ଚିଥିଲା । ପରେ ସ୍ୱାମୀ ବାଲିଗୁଡା କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଥିଲେ । କୋର୍ଟରେ ମାମଲା ଚାଲିଥିବାବେଳେ ଶିକ୍ଷକ ନାୟକ ଜଣେ ଯୁବତୀଙ୍କୁ ଗତ ୬ ତାରିଖରେ କୁଆଡେ ସ୍କୁଲରେ ବିବାହ କରିଥିଲେ । ସେ ପୁଣି କ୍ଲାସ ଚାଲିଥିବାବେଳେ । ଯାହା ଶୁଣିବାକୁ ମିଳୁଛି କ୍ଲାସ ଚାଲିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଉପସ୍ଥିତି ରେ କେକକାଟିବା ସହ ବରମାଳା ଆଦାନପ୍ରଦାନ କରି ବିବାହ କରିଥିଲେ । ଆଉ ପାର୍ଟି ମଧ୍ୟ ମନାଇଥିଲେ । ଏହି ଫୋଟୋ ଏବେ ମୋବାଇଲରେ ଘୁରିବୁଲିବା ପରେ ଘଟଣା ଜଣାପଡିଥିଲା । ପାଠପଢ଼ା ସମୟରେ ଏସବୁ ବେଆଇନ କାର୍ୟ୍ୟକୁ ନାପସନ୍ଦ କରିବା ସହ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ଓ ଅଭିଭାବକ । ବିଇଓ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।





