ଆନ୍ଧ୍ରପ୍ରଦେଶ (ବାଘୁଆବାର୍ତ୍ତା): ଆନ୍ଧ୍ରପ୍ରଦେଶର କଡପା ଜିଲ୍ଲାର ଜଣେ ୨୧ ବର୍ଷ ବୟସ୍କ ବ୍ୟକ୍ତି ଏକ ଝିଅର ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ବ୍ୟକ୍ତିଟିର ପ୍ରେମ ପ୍ରସ୍ତାବକୁ ଝିଅଟି ପ୍ରତ୍ୟାଖ୍ୟାନ କରିବାରୁ ଏଭଳି କାଣ୍ଡ ଭିଆଇଛି । ଏହି ଘଟଣାଟି ଚିନ୍ତଲା ଚେରୁଭୁ ଗାଁର ବୋଲି ଜଣାପଡିଛି। ବଡଭେଲ ଗ୍ରାମୀଣ ପୋଲିସ ଷ୍ଟେସନର ସବ-ଇନ୍ସପେକ୍ଟର ଚନ୍ଦ୍ରଶେଖର ଅଭିଯୁକ୍ତର ନାମ ଚରଣ ବୋଲି କହିଛନ୍ତି । ଚନ୍ଦ୍ରଶେଖର କହିଛନ୍ତି, ଚରଣ ଦୀର୍ଘ ସମୟ ଧରି ଝିଅଟିକୁ ଏକ ତରଫା ପ୍ରେମ କରୁଥିଲା ଏବଂ ତାର ପଛରେ ପଡିଥିଲା । ତେବେ ଝିଅଟି ତାର ପ୍ରସ୍ତାବକୁ ମନା କରିଦେବାରୁ ଶୁକ୍ରବାର ଦିନ ଚରଣ ଝିଅଟିର ପିଛା କରି ତାର ଗଳା କାଟି ଦେଇଥିଲା । ଏହି ଘଟଣାରେ ଗ୍ରାମବାସୀମାନେ ଚରଣକୁ ନିଧୁମ ମାଡ ମାରିବା ପରେ ତାକୁ ବଡଭେଲ ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେ କହିଛନ୍ତି, ପୀଡିତାଙ୍କ ସମ୍ପର୍କୀୟଙ୍କ ସମେତ ଗ୍ରାମବାସୀ ଅଭିଯୁକ୍ତକୁ ମାଡ ମାରିଥିଲେ ।






