ରେଢ଼ାଖୋଲ, (ବାଘୁଆବାର୍ତ୍ତା): ଜଣେ ଯୁବ ଇଞ୍ଜିନିୟର ଚାରମାଳ ଥାନାଞ୍ଚଳର ଜଣେ ଯୁବତୀଙ୍କୁ ଏକତରଫା ପ୍ରେମ କରି ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତ ଗଜପତି ଜିଲ୍ଲା ରାୟଗଡ଼ା ଥାନା ବୁରପାଲି ମାରଲବା ଗ୍ରାମର ଅମରାନନ୍ଦ ଆନନ୍ଦ (୩୦) । ସୂଚନା ମତେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସରେ କାର୍ୟ୍ୟରତ ଇଞ୍ଜିନିୟର ଗତ କିଛିବର୍ଷ ପୂର୍ବରୁ ଚାରମାଳ ରେଳ ଷ୍ଟେସନ ନିକଟରେ ଜଣେ ଠିକାଦାରଙ୍କ ଅଧୀନରେ କାର୍ୟ୍ୟ କରୁଥିଲେ । ଏ ସମୟରେ ତାଙ୍କ ଅଧୀନରେ କାମ କରୁଥିବା ଏହିଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ ଏବଂ ତାଙ୍କୁ ବିବାହ କରିବାକୁ ଭାବିଥିଲେ । କିଛିଦିନ ପୂର୍ବରୁ ସଂପୃକ୍ତ ଯୁବତୀଙ୍କୁ ବିବାହ ଠିକ ହୋଇଥିବା ଜାଣିବା ପରେ ଗତକାଲି ସନ୍ଧ୍ୟାରେ ଯୁବତୀଙ୍କ ଘରକୁ ପହଞ୍ଚି ତାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ହେଲେ ଯୁବତୀଙ୍କ ପରିବାର ତାଙ୍କ ପ୍ରସ୍ତାବକୁ ମନା କରିଥିଲେ । ଫଳରେ ଅମରାନନ୍ଦ ଉତ୍ତ୍ୟକ୍ତ ହୋଇ ପରିବାର ଲୋକଙ୍କୁ ଗାଳିଗୁଲଜ କରିବା ସହିତ ଧମକ ଚମକ ଦେଇଥିଲେ । ପରିବାର ଲୋକଙ୍କ ସହିତ ଗ୍ରାମବାସୀ ତାଙ୍କୁ କାବୁ କରି ଚାରମାଳ ପୁଲିସ୍କୁ ସୂଚନା ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅମରାନନ୍ଦଙ୍କୁ ଗିରଫ କରିଥିଲା । ପରିବାର ଲୋକଙ୍କ ଅଭିଯୋଗକ୍ରମେ ପୁଲିସ୍ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଇଞ୍ଜିନିୟର ଅମରାନନ୍ଦଙ୍କୁ କୋର୍ଟଚାଲାଣ କରିଥିବା ଥାନାଧିକାରୀ ବସନ୍ତ ଦଲାଇ ସୂଚନା ଦେଇଛନ୍ତି ।





