ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର ଥାନାରେ ଏକ ଅଭାବନୀୟ ଘଟଣାର ଅଭିଯୋଗ ହୋଇଛି । ରାମ ନାଟକରୁ ପ୍ରେମ ବିବାହ, ଶାରୀରିକ ସମ୍ପର୍କ, ଗର୍ଭ ନଷ୍ଟ କରିବା ଓ ପରେ ଧୋକା ଦେଇ ଚାଲିଯିବା ଘଟଣା କୁ ନେଇ ରଣପୁର ଥାନାରେ ଅଭିଯୋଗ ହୋଇଛି । ସୁଚନାନୁସାରେ ସସ୍ମିତା ପଲେଇ ବୟସ ୨୩ ବର୍ଷ ସେ ରଙ୍କଦେଉଳି ମା ରାମଚଣ୍ଡି ନାଟ୍ୟ ସଂସଦରେ କଳାକାର ଭାବେ କାର୍ଯ୍ୟ କରନ୍ତି । ଉକ୍ତ ନାଟ୍ୟ ସଂସଦରେ ଡମସାହି ଗ୍ରାମର ବାନା ରାଉତ ଓରଫ ମିଥୁନ ରାଉତ ମଧ୍ୟ ଉକ୍ତ ନାଟ୍ୟ ସଂସଦରେ କଳାକାର ଭାବେ କାର୍ଯ୍ୟ କରନ୍ତି । ଦୀର୍ଘ ୬ ମାସ ହେଲା ବିଭିନ୍ନ ସ୍ଥାନରେ ସେମାନେ କଳା ପ୍ରଦର୍ଶନ କରି ଆସନ୍ତି । ଝିଅର ଅଭିଯୋଗ ଅନୁଯାୟୀ ଗତ କିଛି ମାସ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟେ ୫ ମାସ ତଳେ ଆଇଗିଣିଆ ସ୍ଥିତ ରାମ ମନ୍ଦିରରେ ବିବାହ କରିଥିଲେ । ବିବାହ ପରେ ଉଭୟେ ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ଚାଳ ବସ୍ତିରେ ରହୁଥିଲେ । ଅଭିଯୋଗ ଅନୁଯାୟୀ ସସ୍ମିତା ତାଙ୍କ ଶାଶୁ ଘରକୁ ଯିବା ପାଇଁ ବାରମ୍ବାର କହୁଥିଲେ । କିନ୍ତୁ ତାଙ୍କୁ ବିଭିନ୍ନ ବାହାନା ଦେଖାଇ ମିଥୁନ ତାଙ୍କ ଘରକୁ ନେଉନଥିଲେ । ଆଚାର୍ଯ୍ୟ ବିହାର ଛକଠାରେ ସସ୍ମିତା ଶାଶୁ ଘରକୁ ଆସିବା ପାଇଁ ଛିଡ଼ା ହୋଇଥିବା ବେଳେ ଦୁଇଟି ମଟର ସାଇକେଲ ଗାଡ଼ିରେ ୪ ଜଣ ଯୁବକ ଆସି ମିଥୁନକୁ ନେଇ କୁଆଡେ ପଳାଇଥିଲେ । ଝିଅର ଅଭିଯୋଗ କ୍ରମେ ମିଥୁନ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖି ଗର୍ଭ ନଷ୍ଟ କରିଥିବା ଥାନାରେ ଅଭିଯୋଗ କରିଛନ୍ତି । ଆସିବା ବେଳେ ମିଥୁନ ସସ୍ମିତା ଠାରୁ ୩ ହଜାର ଟଙ୍କା ଓ ଏକ ସୁନା ମଙ୍ଗଳ ସୁତ୍ର ନେଇ ଆସିଥିବା ଥାନାରେ ଅଭିଯୋଗ କରିଛନ୍ତି । ଏଭଳି ଘଟଣାକୁ ନେଇ ଉକ୍ତ ଅଞ୍ଚଳରେ ରୋମାଞ୍ଚକର ପରିସ୍ଥିତି ସୃଷ୍ଟି ହୋଇଛି ।





