ଭବାନୀପାଟଣା, (ବାଘୁଆବାର୍ତ୍ତା): ଛଅଟି ପିଲାଙ୍କ ବାପା ଜଣେ ନବବଧୂଙ୍କୁ ଧରି ଫେରାର ମାରିଛନ୍ତି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ୍ର ଏଭଳି ଏକ ଘଟଣା ସମଗ୍ର ଅଞ୍ଚଳରେ କୌତୁହଳ ସୃଷ୍ଟି କରିଛି । ସୂଚନାମତେ, ବ୍ଲକ୍ର ବନ୍ଧପଡ଼ାରେ ଫୁଲକୁମର ରାଉତ(୪୭) ସ୍ତ୍ରୀ ଏବଂ ୬ ପିଲାଙ୍କ ସହ ରହୁଥିଲେ । ସେ ରାଜ ମିସ୍ତ୍ରୀ କାମକରି ପରିବାର ଚଳାଉଥିଲେ । କିଛି ଦିନ ତଳେ ଫୁଲକୁମର ପରକୀୟା ପ୍ରୀତିରେ ଅନ୍ଧହୋଇ ପରିବାରକୁ ପର କରିଦେଇ ଜଣେ ନବ ବିବାହିତାଙ୍କୁ ଧରି ଫେରାର ହୋଇଯାଇଛନ୍ତି । ପରିବାରର ରୋଜଗାରକ୍ଷମ ବ୍ୟକ୍ତି ଫେରାର ହେବା ପରେ ଏବେ ୮ ପ୍ରାଣୀର କୁଟୁମ୍ବ ବେସାହାରା ହୋଇପଡ଼ିଛି । ଅସହାୟ ସ୍ତ୍ରୀ ଏବେ ନିଜ ୬ ସନ୍ତାନ ଏବଂ ଶ୍ୱଶୁରଙ୍କ ଭରଣ ପୋଷଣ କିପରି କରିବେ ସେ ଚିନ୍ତାରେ ପଡ଼ିଛନ୍ତି । ସେମାନଙ୍କ ଜମି ବାଡ଼ି କିଛି ନାହିଁ । କେବଳ ୨୫କେଜି ଚାଉଳ ହିଁ ସେମାନଙ୍କ ଭରସା । ମହିଳା ଜଣକ ଛୋଟ ଛୁଆକୁ ଧରି ମଜୁରୀ କରିବାକୁ ମଧ୍ୟ ଅସମର୍ଥ । ତାଙ୍କ ପାଇଁ ପରିବାରର ବୋଝ ସମ୍ଭାଳିବା କଷ୍ଟକର ହୋଇପଡିଛି । ଏଭଳି ସ୍ଥିତିରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।






