ଜଗତପୁର, (ବାଘୁଆବାର୍ତ୍ତା): ଫେସ୍ବୁକ୍ ସଂପର୍କରୁ ପ୍ରେମ । ଦୁଇବର୍ଷ ଧରି ପ୍ରେମଜାଲରେ ନାବାଳିକାଙ୍କୁ ଫସେଇ ରଖିଥିଲା ଅଭିଯୁକ୍ତ ଯୁବକ । ସଂପର୍କ ନିବିଡ଼ ହେବା ସହ ବିବାହର ପ୍ରତିଶ୍ରୁତି ଦେଇ ଯୁବକଜଣକ ନାବାଳିକାଙ୍କ କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓକୁ ମୋବାଇଲ୍ରେ ରେକର୍ଡ କରିନେଇଥିଲା । ଏବେ ପ୍ରତାରଣା କରିବା ସହ ନାବାଳିକାଙ୍କ ସେହି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଛି ଅଭିଯୁକ୍ତ । ଏହି ଭିଡିଓ ମୋବାଇଲ୍ରେ ଘୂରି ବୁଲିବା ପରେ ନ୍ୟାୟ ପାଇଁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ନାବାଳିକା । ଏଭଳି ସମ୍ବେଦନଶୀଳ ଘଟଣା ଘଟିଛି ଜଗତପୁର ଥାନା ଅଞ୍ଚଳରେ । ଭିଡିଓ ଭାଇରାଲ୍ ସମ୍ପର୍କରେ ନାବାଳିକା ଓ ତାଙ୍କ ପରିବାର ଲୋକେ ଜାଣିବା ପରେ ଅଭିଯୁକ୍ତ ଯୁବକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପାଇଁ ଜଗତପୁର ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ମାମଲା ଋଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ଉଦ୍ୟମ ଜାରିରଖିଛି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଦୁଇ ବର୍ଷ ପୂର୍ବେ ନାବାଳିକା ଜଣକ ଫେସବୁକ୍ରେ ସ୍ଥାନୀୟ ଅଞ୍ଚଳର ସଂପୃକ୍ତ ଯୁବକଙ୍କ ସହ ବନ୍ଧୁତା କରିଥିଲେ । ଯୁବକ ଜଣକ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିବା ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓକୁ କୌଶଳକ୍ରମେ ମୋବାଇଲରେ ରେକର୍ଡିଂ କରିଥିଲା । ଏପରିକି ନାବାଳିକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ୍ ପାସୱାର୍ଡକୁ ଯୁବକ ଜଣକ ହାସଲ କରି ନିଜେ ବ୍ୟବହାର କରୁଥିଲା । ପରେ ନାବାଳିକା ଜଣକ ବିବାହ ପାଇଁ ଜିଦ୍ ଧରିବା ପରେ ସଂପୃକ୍ତ ଯୁବକର ମନ୍ଦ ଉଦ୍ଦେଶ୍ୟ ଜଣାପଡିଗଲା । ଯୁବକଜଣକ ନାବାଳିକାଙ୍କୁ ବିବାହ କରିବାକୁ ମନା କରିବା ସହ ନାବାଳିକାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମୋବାଇଲରେ ପୂର୍ବରୁ ରଖିଥିବା ଅଶ୍ଳୀଳ ଭିଡିଓ ସବୁ ଭାଇରାଲ କରିଥିଲା । ଏଭଳି ଅଶ୍ଳୀଳ ଭିଡିଓ ସମ୍ପର୍କରେ ନାବାଳିକାଙ୍କ ବନ୍ଧୁମାନେ ତାଙ୍କୁ ଖବର ଦେଇଥିଲେ । ଏହାଜାଣିବା ପରେ ନାବାଳିକା ଓ ତାଙ୍କର ପରିବାର ଲୋକେ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ୍ ମାମଲା ଋଜୁ କରି ଅଭିଯୁକ୍ତ ଯୁବକକୁ ଧରିବା ପାଇଁ ତଦନ୍ତ ଜୋରଦାର କରିଛି ।





