ବ୍ରହ୍ମପୁର, (ବାଘୁଆବାର୍ତ୍ତା): କୋଭିଡ୍ ଡ୍ୟୁଟି ବେଳେ ଦୁଇ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ । ଡ୍ୟୁଟି ସରିବା ପରେ ଉଭୟେ ଭଡ଼ା ଘରେ ଲିଭ୍ ଇନ୍ ରିଲେସନ୍ରେ ରହିଲେ । ହେଲେ ୮ ମାସ ପରେ ଆରମ୍ଭ ହୋଇଥିଲା ମନୋମାଳିନ୍ୟ । ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ ମହିଳା ଆଟେଣ୍ଡାଣ୍ଟ । ପୁଲିସ ଖୋଳତାଡ଼ କରି ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଗିରଫ କରିଥିଲା । କୋର୍ଟଚାଲାଣ ପାଇଁ କାଗଜପତ୍ର ଯାଞ୍ଚ ବେଳେ ସେ ନାବାଳକ ଥିବା ଜଣାପଡ଼ିଛି । ଜଣେ ନାବାଳକକୁ କିପରି ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ । ଏଥିସହ ଶନିବାର ତାଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଉପସ୍ଥିତ କରି ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି । ବ୍ରହ୍ମପୁରର ଏକ କୋଭିଡ୍ କେୟାର ସେଣ୍ଟର୍ରେ ଉପରୋକ୍ତ ଦୁଇ ଜଣ ନିଯୁକ୍ତି ପାଇଥିଲେ । କାମ କରିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ଓ ଶାରୀରିକ ସମ୍ପର୍କ ଗଢ଼ି ଉଠିଥିଲା । ବିବାହ କରିବାକୁ ନିଷ୍ପତ୍ତି ନେଇ ଇଞ୍ଜିନିୟରିଂ ସ୍କୁଲ ଛକ ନିକଟରେ ଭଡ଼ା ଘରେ ଉଭୟ ଏକାଠି ରହୁଥିଲେ । ପ୍ରେମିକ ପ୍ରତାରଣା କରୁଥିବା ଜାଣିବା ପରେ ଯୁବତୀ ଜଣକ ଏତଲା ଦେଇଛନ୍ତି । ଥାନାରେ ପରିଚୟପତ୍ର ଏବଂ ଅନ୍ୟ କାଗଜପତ୍ର ଯାଞ୍ଚ ବେଳେ ସେ ନାବାଳକ ବୋଲି ଜଣାପଡ଼ିଥିଲା । ମହିଳା ଆଟେଣ୍ଡାଣ୍ଟଙ୍କ ବୟସ ୧୯ ବର୍ଷ ହୋଇଛି । ଜଣେ ନାବାଳକଙ୍କୁ ଆଟେଣ୍ଡାଣ୍ଟ ନିଯୁକ୍ତି ପ୍ରଶ୍ନବାଚୀ ହୋଇଛି ।





