ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ପ୍ରଥମେ ଲଭ୍, ପରେ ବିବାହ ଏବଂ ପରେ ଗର୍ଭବତୀ ପତ୍ନୀଙ୍କୁ ଛାଡ଼ି ସ୍ୱାମୀ ଫେରାର୍ ହୋଇଯାଇଛି । ପତ୍ନୀ ଏବେ ଅଢେଇ ମାସ ଛୁଆକୁ ପେଟରେ ଧରି ବୁଲୁଥିବାବେଳେ କେମିତି ଚଳିବେ ସେ ଚିନ୍ତାରେ ପଡ଼ି ଖୋର୍ଦ୍ଧା ମହିଳା ଥାନାର ଦ୍ୱାରସ୍ଥ ହୋଇଥିବା ଜଣାପଡ଼ିଛି । ପୁଲିସ ଅସହାୟ ପତ୍ନୀ ଲିଖିତ ଅଭିଯୋଗକୁ ଅପେକ୍ଷା କରିବା ସମେତ ତାଙ୍କୁ ଉଜ୍ଜ୍ୱଳା ସର୍ଟଷ୍ଟେ ହୋମ୍ରେ ଛାଡ଼ି ତା’କାମ ସାରିଦେଇଛି । ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଡମଣା ଅଞ୍ଚଳରେ ବିଜୟ ହାଁସଦାଙ୍କ ଝିଅ ପିଙ୍କି ହାଁସଦା ଏବଂ ସରଣକୁଳ ଥାନା ଅନ୍ତର୍ଗତ ଡିମିସର ଗ୍ରାମରେ ଦାସ ସ୍ୱାଇଁଙ୍କ ପୁଅ ଜନାର୍ଦ୍ଦନ ସ୍ୱାଇଁ କିଛି ବର୍ଷ ତଳେ ବେଙ୍ଗାଲୁରୁସ୍ଥିତ ଏକ କମ୍ପାନୀରେ ଏକାଠି କାମ କରୁଥିଲେ । ସେଠାରୁ ପିଙ୍କି ଓ ଜନାର୍ଦ୍ଦନଙ୍କ ମଧ୍ୟରେ ଲଭ୍ ଆରମ୍ଭ ହୋଇଥିଲା । ପ୍ରେମକୁ ଦାମ୍ପତ୍ୟ ଜୀବନରେ ପରିଣତ କରିବାକୁ ଏକ ମନ୍ଦିରରେ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥିଲା । ଏହା ପରେ ଖୋର୍ଦ୍ଧା ଆଦର୍ଶ ଥାନାସ୍ଥିତ ଗୁରୁଜଙ୍ଗଠାରେ ଏକ ଭଡ଼ାଘରେ ଦାମ୍ପତ୍ୟ ଜୀବନ କଟାଇଥିଲେ । ବିବାହକୁ ସରକାରୀ ସ୍ୱୀକୃତି ମିଳିବା ଆଶାରେ ଚଳିତ ବର୍ଷ ମାର୍ଚ୍ଚ ମାସରେ ୨୩ ତାରିଖରେ ପିଙ୍କି ଓ ଜନାର୍ଦ୍ଦନ ନୋଟାରୀ ମାଜିଷ୍ଟ୍ରେଟ୍ଙ୍କ ନିକଟରେ ବିବାହ ହୋଇଥିଲେ । ତେବେ ସ୍ୱାମୀ ୩ ଦିନ ହେବ କେଉଁଆଡ଼େ ଚାଲିଯାଇଥିବା ଜଣାପଡ଼ିଛି । ଯିବା ପୂର୍ବରୁ ଚଳିବାକୁ ବହୁତ ଅସୁବିଧା ହେଉଛି ତେଣୁ ଗ୍ରାମକୁ କିଛି ଅର୍ଥ ଆଣି ଆସିବାକୁ କହିଥିଲେ । ଫୋନରେ ଜନାର୍ଦ୍ଦନଙ୍କୁ ଯୋଗା ଯୋଗ କରିବାରୁ ତାଙ୍କର ଶ୍ୱଶୁର ଘର ଲୋକ ଉଠାଇବା ସମେତ ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିବା ପିଙ୍କି ମହିଳା ଥାନାରେ ମୌଖିକ ଭାବେ ଅଭିଯୋଗ କରିଛନ୍ତି । ଆଦର୍ଶ ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ ସ୍ୱାମୀ ଛାଡ଼ି ଚାଲିଯିବା ପରେ ପିଙ୍କି ମାନସିକ ସ୍ତରରେ ଭାଙ୍ଗି ପଡ଼ିଛନ୍ତି । ପେଟରେ ବଢୁଥିବା ଛୁଆର ଭବିଷ୍ୟତ ଏବଂ ନିଜର ଚଳିବା ଚିନ୍ତାରେ ପଡ଼ିଥିବା ପ୍ରକାଶ କରିଛନ୍ତି । ଯଦି ପିଙ୍କି ନଚେତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଲିଖିତ ଅଭିଯୋଗ ହୁଏ ତେବେ ଆଇନଗତ ପଦକ୍ଷେପ ନିଆଯିବ ବୋଲି ଥାନାଧିକାରୀ କହିଛନ୍ତି ।





