ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ସଦର ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଲୁଟ ହୋଇଥିବା ସାମଗ୍ରୀକୁ ଜବତ କରିବା ସହ ଆସାମୀକୁ ଧରିବାରେ ସଫଳ ହୋଇଛି । ସୁଚନାନୁସାରେ ଗତ ୨ ତାରିଖ ରାତିରେ ସଦର ଥାନା ଅନ୍ତର୍ଗତ ଖୁଟୁବନ୍ଧ ଗ୍ରାମର ହଜାରୀ ବାରିକଙ୍କ ଘରେ ପସି ଅନେକ ସାମଗ୍ରୀ ଲୁଟ ହୋଇଥିଲା । ଏହାକୁ ନେଇ ୩ ତାରିଖ ଦିନ ଦିନ ୨ଟା ସମୟରେ ହଜାରି ବାରିକଙ୍କ ପତ୍ନୀ ମାଳିଆ ବାରିକ ସଦର ଥାନାରେ ମାମଲା ରୁଜୁ କରିଥିଲେ ।

ମାମଲା ଅନୁଯାୟୀ ତାଙ୍କ ଘରୁ ୫୦ ହଜାର ଟଙ୍କା, ସୁନା ହାର, ତିନି ଗୋଟି ମୁଦି, ସୁନାର କାନଫୁଲ, ଦୁଇ ହଳ ପାଉଁଜି ଓ ସୁନା ନେକଲେସ କେଉଁ ଅଜଣା ବ୍ୟକ୍ତି ଚୋରି କରି ନେଇଥିବା ମାମଲା ଦେଇଥିଲେ । ସଦର ଥାନା ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଉକ୍ତ ଗ୍ରାମର ହଜାରୀ ବାରିକଙ୍କ ପୁଅ ପ୍ରଶାନ୍ତ କୁମାର ବାରିକଙ୍କୁ ବାନ୍ଧିବାରେ ସଫଳ ହୋଇଛି । ତାଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା, ସୁନା ହାର, ସୁନା କାନଫୁଲ, ସୁନାର ନେକଲେସ, ସିଲଭର ପାଉଁଜି, ରୁପା ମୁଦି ଦୁଇଟି ଜବତ କରିଛି ।

ଅଭିଯୁକ୍ତକୁ ଆଜି କୋର୍ଟ ଫରୁୱାର୍ଡ କରାଯାଇଛି । ଏ ନେଇ ଆଜି ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ନୟାଗଡ଼ ଏସଡିପିଓ ସୁଦର୍ଶନ ଗାଙ୍ଗୋଇ, ସଦର ଥାନା ଆଇଆଇସି ବିଜୟା ସାହୁ ଓ ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ସିଆଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଘଟଣାରେ ମା’ର ଅଭିଯୋଗ କ୍ରମେ ପୁଅ ପ୍ରଶାନ୍ତ ଗିରଫ ହୋଇଛି ।





