ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ଅନ୍ତର୍ଗତ ଲକ୍ଷ୍ମଣନଗରରୁ ଗତକାଲି ରାତିରେ ବଡ଼ ଧରଣର ଚୋରୀ ହୋଇଛି । ଚୋରମାନେ ଚୋରୀ କରିବା ପରେ ଗହୀର ରାସ୍ତା ଦେଇ ଖସିଥିବା ଜଣାପଡ଼ିଛି । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ରାଣିପଡ଼ା ଗ୍ରାମର ଝିଲ୍ଲୀ ଧଳ ଲକ୍ଷ୍ମଣନଗରେ ଭଡ଼ାଟିଆ ଭାବେ ରୁହନ୍ତି । ଗତକାଲି ରାତିରେ ତାଙ୍କ ଶୋଇବା ଘର କବାଟ ତାଡ଼ି କିଛି ଚୋର ଘର ଭିତରେ ପଶିଥିଲେ । ଘରୁ ୪୦ ଗ୍ରାମ ସୁନା ଅଳଙ୍କାର ସହ କିଛି ଟଙ୍କା ଲୁଟ କରିଛନ୍ତି । ଆଜି ଅଭିଯୋଗ ପାଇବା ପରେ ଟାଉନଥାନା ପୁଲିସ ଏକ ମାମଲା ରୁଜୁ କରି ଖୋଳତାଡ଼ ଆରମ୍ଭ କରିଛି । ସାଇଣ୍ଟିଫିକ୍ ଟିମ୍ ଏବଂ ଡଗ୍ ସ୍ୱାର୍ଡ଼ ସାହାର୍ଯ୍ୟରେ ଘଟଣାର ତଦନ୍ତ କରାଯାଇଛି । ଲୁଟେରାମାନେ ମୁହଁରେ ମୁଖାପିନ୍ଧି ଘର ଭିତରେ ପଶିଥିଲେ । ସେମାନେ ଗହୀର ରାସ୍ତା ଦେଇ ଯାଇଥିବା ବେଳେ ମୁଖାଟି ଏକ ପ୍ଲଟ ଉପରେ ପଡ଼ିଥିବା ଦେଖାଯାଇଥିଲା । ଏହି ଘଟଣାରେ ସାମିଲ ଥିବା ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।





