ଭୁବନେଶ୍ୱର, (ବାଘୁଆବାର୍ତ୍ତା): ପୁଲିସ୍ ସବ୍ ଇନ୍ସପେକ୍ଟର ରମାକାନ୍ତ ପ୍ରଧାନଙ୍କ ସରକାରୀ ଘରେ ପଶି କଳାକନା ବୁଲାଇ ଦେଇଛନ୍ତି ଚୋର। ଏପରି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏନେଇ ଖାରବେଳ ନଗର ଥାନାରେ ଅଭିଯୋଗ ହୋଇଛି। ରମାକାନ୍ତ ଟ୍ରେନିଂରେ ଥିବାବେଳେ ଏହି ସରକାରୀ କ୍ୱାର୍ଟର୍ସରେ ତାଙ୍କ ପୁଅ ରାକେଶ କୁମାର ପ୍ରଧାନ ଓ ବୋହୂ ରହୁଥିଲେ। ଗତକାଲି ସକାଳେ ପୁଅ ବୋହୂ ଅଫିସ ଯାଇଥିଲେ। ଏହି ସମୟରେ ଚୋରମାନେ ପୁଲିସ ବାବୁଙ୍କ କ୍ୱାର୍ଟର୍ସରେ ପାଇ କଳାକନା ବୁଲାଇ ଦେଇଥିଲେ। ଅପରାହ୍ଣ ସାଢ଼େ ୫ଟା ସମୟରେ ପୁଅବୋହୂ ଘରକୁ ଫେରି ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଘର କବାଟର ତାଲା ଭଙ୍ଗାଯିବା ସହ ଲୁହା ଆଲମିରା ତାଡ଼ି ଚୋରମାନେ ସୁନା ଅଳଙ୍କାର, ଟଙ୍କା, ଦାମିକା ଘଣ୍ଟା ସାଙ୍ଗକୁ ୪ଟି ହାର୍ଡ ଡିସ୍କ ଚୋରି ନେଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଖାରବେଳ ନଗର ପୁଲିସ ଛାନଭିନ୍ ଆରମ୍ଭ କରିଛି।





