କଣ୍ଟାବାଞ୍ଜି, (ବାଘୁଆବାର୍ତ୍ତା): ସହରର ଜନ ଗହଳି ପୂର୍ଣ ତଥା ମୁଖ୍ୟ ଶାସ୍ତ୍ରୀ ଛକ ଠାରେ ଆଜି ଅପରାହ୍ନ ସମୟରେ ବର୍ଷାର ସୁଯୋଗ ନେଇ ଏକ କଳା ପଲସରରେ ଆସି ଲୁଟେରା ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା କଣ୍ଟାବାଞ୍ଜି ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ବାହାଡୁକି ଗାଁର ସାଗର ସାହୁ ବ୍ୟାଙ୍କରୁ ଟଙ୍କା ଉଠାଇ ଡିକିରେ ରଖି ଏକ ଦୋକାନକୁ ଯାଇଥିବା ବେଳେ ଶାସ୍ତ୍ରୀଛକ ନିକଟରେ ଡିକି ଖୋଲି ଲୁଟେରାମାନେ ଲୁଟି ନେଇଛନ୍ତି। ବାହାଡୁକି ଗାଁର ସାଗର ସାହୁ ଘରର ସୁନା ବ୍ୟାଙ୍କରେ ବନ୍ଧକ ରଖି ୨ ଲକ୍ଷ ୮୦ ହଜାର ଟଙ୍କା ଉଠାଇଥିଲେ । ଟଙ୍କା ନିଜ ବାଇକ ଡିକିରେ ରଖିଥିବା ବେଳେ ଶାସ୍ତ୍ରୀ ଛକ ଠାରେ ଏକ ଦୋକାନକୁ କିଛି କିଣିବାକୁ ଯାଇଥିଲେ । ବର୍ଷା ହେଉଥିବା ସୁଯୋଗ ନେଇ ସେହି ସମୟରେ ଏକ କଲା ପଲସର ଗାଡ଼ିରେ ଚୋର ଡିକି ଖୋଲି ଟଙ୍କା ନେଇଯାଇ ଡିକି ବନ୍ଦ କରି ଫେରାର ହୋଇଯାଇଥିଲେ । ତେବେ ସାଗର ସାହୁ ଦୋକାନରୁ ବାହାରି ଡିକି ଖୋଲି ଦେଖିବାରୁ ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । କଣ୍ଟାବାଞ୍ଜି ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଛି । ଗତ ଦୁଇ ଦିନ ପୂର୍ବରୁ ମୁରିବାହାଲ ଥାନା ଘୁଷୁରାମୁଣ୍ଡା ଗାଁରେ ଜଣେ କିଓସ୍କୋ ବ୍ୟାଙ୍କକୁ ନିଜ ଘରୁ ଟଙ୍କା ନେଇ ଯାଉଥିବା ବେଳେ ୩ ଲକ୍ଷ ଟଙ୍କା ଲୁଟେରା ଲୁଟ କରି ନେଇଥିଲେ । ବର୍ତ୍ତମାନ ସୁଦ୍ଧା ଚୋରର ଟେର ପାଇ ନଥିବା ବେଳେ ଆଜି ପୁଣି କଣ୍ଟାବାଞ୍ଜିରେ ଲୁଟ ହୋଇଛି। ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସିସି ଟିଭି କେମେରା ଆଧାରରେ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।





