ଭୁବନେଶ୍ଵର (ବାଘୁଆବାର୍ତ୍ତା): କରୋନାର ସାଂପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍ଡାଉନ୍ ଅବଧି ୧୬ ଦିନ ବୃଦ୍ଧି କରିଛନ୍ତି। ଜୁନ ୧ ସକାଳ ୫ଟାରେ ସରୁଥିବା ଲକ୍ଡାଉନ୍ ଜୁନ ୧୭ ସକାଳ ୫ଟା ଯାଏଁ ବଢାଯାଇଛି। ଏଥିସହ ରାଜ୍ୟରେ ସପ୍ତାହାନ୍ତ ସଟ୍ଡାଉନ୍ ପୂର୍ବ ପରି ଜାରି ରହିବ। ଅନ୍ୟପଟେ ସଂକ୍ରମଣ କମୁଥିବାରୁ ୩ଟି ଜିଲ୍ଲାରେ ଲକ୍ଡାଉନ୍ କୋହଳ କରାଯାଇଛି। ନୂଆପଡା, ଗଜପତି ଓ ସୁନ୍ଦରଗଡ ଜିଲ୍ଲାରେ କୋହଳ କରାଯାଇଛି। ପୂର୍ବପରି ୨୫ ଜଣଙ୍କୁ ନେଇ ବିବାହ କାର୍ୟ୍ୟ ଏବଂ ୨୦ ଜଣଙ୍କୁ ନେଇ ଶୁଦ୍ଧିକ୍ରିୟା କରାଯିବ। ପୂର୍ବ ଲକ୍ଡାଉନ୍ରେ ଜାରି ସମସ୍ତ କଟକଣା ପୂର୍ବ ପରି ଜାରି ରହିବ। ପୂର୍ବ ଘୋଷଣାରେ ଯାହା କଟକଣାମୁକ୍ତ ତାହା ଜାରି ରହିବ। ଦୋକାନ ସକାଳ ୭ଟାରୁ ୧୧ଟା ଯାଏଁ ଖୋଲା ରହିବ। ଲକ୍ଡାଉନ୍ରେ ୨୭ ଜିଲ୍ଲାରେ ଦୈନିକ ୪ ଘଣ୍ଟା ସକାଳ ୭ଟାରୁ ସକାଳ ୧୧ଟା ଯାଏଁ ଏବଂ ବାକି ତିନି ଜିଲ୍ଲା ନୂଆପଡା, ଗଜପତି ଓ ସୁନ୍ଦରଗଡରେ ୭ଟାରୁ ଦିନ ୧ଟା ଯାଏଁ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ। ପରିବା, ସଉଦା, ଛାତ୍ରଛାତ୍ରୀଙ୍କ ପଢାବହି ଦୋକାନ ଖୋଲା ରହିବ। ପୂର୍ବଭଳି ଗ୍ୟାରେଜ୍ ଓ ଗାଡି ମରାମତି ଦୋକାନ ଖୋଲା ରଖିବାକୁ ଅନୁମତି ମିଳିଛି। କମ୍ପ୍ୟୁଟର, ମୋବାଇଲ ମରାମତି, ଇଲେକ୍ଟ୍ରି, ଇଲେକ୍ଟ୍ରିକାଲ ମରାମତି ଦୋକାନ, ଏସି, କୁଲର, ଓ୍ଵାଟର ପ୍ୟୁରିଫାୟର ମରାମତି ଦୋକାନା ଖୋଲା ରହିବ। ଏହି ପରି ସିମେଣ୍ଟ, ରଡ୍, ଚିପ୍ସ ଆଦି ନିର୍ମାଣ ସାମଗ୍ରୀ ଦୋକାନ ମଧ୍ୟ ଖୋଲା ରହିବ। କ୍ଷୀର ବିକିବାକୁ କେବଳ ଓମଫେଡ ଦୋକାନ ଖୋଲା ରହିବ ବୋଲି ଗାଇଡ୍ଲାଇନ୍ରେ କୁହାଯାଇଛି। କିନ୍ତୁ ଓମଫେଡ ଦୋକାନରେ ଚା, କଫି ବିକ୍ରି ମନା। ସକାଳ ୫ଟାରୁ ୮ଟା ପର୍ୟ୍ୟନ୍ତ ଖବର କାଗଜ ବିତରଣ ପାଇଁ ଅନୁମତି ଦିଆଯାଇଛି। ଅଫିସ୍ କାର୍ୟ୍ୟ ପାଇଁ ସରକାର ଗାଇଡ୍ଲାଇନ୍ ଜାରି କରିଛନ୍ତି। ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସବୁ ସରକାରୀ ଅଫିସ୍ରେ କର୍ମଚାରୀ ସଂଖ୍ୟା କମାଯିବ। ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍ରେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଚାଲିବ। ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍ରେ କର୍ମଚାରୀଙ୍କ ସଂଖ୍ୟା ଯଥେଷ୍ଟ କମାଯିବ। ବେସରକାରୀ, କର୍ପୋରେଟ୍ ଅଫିସ୍ ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ। ଲକ୍ଡାଉନ୍ରେ ପୋଲିସ, ହୋମଗାର୍ଡ, ଅଗ୍ନିଶମ କର୍ମଚାରୀଙ୍କ ପାଇଁ କୌଣସି କଟକଣା ନାହିଁ। ପୂର୍ବପରି ବାହାଘର ସମାରୋହରେ ୨୫ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି। ସାମୂହିକ ଭୋଜି ଉପରେ ପୂର୍ବବତ୍ତ ପ୍ରତିବନ୍ଧକ ଲଗାଯାଇଛି। ଅତିଥିମାନେ ଏକାଠି ବସି ଖାଇପାରିବେ ନାହିଁ । ସେମାନଙ୍କୁ ଖାଦ୍ୟ ପ୍ୟାକେଟ୍ କରି ପ୍ରଦାନ କରାଯିବ । ଅନ୍ତ୍ୟେଷ୍ଟି କ୍ରିୟା ଓ ବ୍ରତଘର ସମାରୋହରେ ସର୍ବାଧିକ ୨୦ ଜଣ ସାମିଲ ହେବା ସହ ସମାନ କଟକଣା ଲାଗୁ ହୋଇଛି ।






