ଭୁବନେଶ୍ବର, (ବାଘୁଆବାର୍ତ୍ତା): ବିବାଦ ଘେରରେ ୟୁଟ୍ୟୁବର ଲବ ହାଂସଦା । ବେଙ୍ଗାଲୁରୁର ଏଚଏସଆର ଲେ ଆଉଟ ପୁଲିସ ଥାନାରେ ଲବ ବିରୋଧରେ ଏତଲା ହୋଇଛି। ଲବ ହାଂସଦାଙ୍କ ପ୍ରେମିକା ସୋଲମୀ ମୁର୍ମୁ ୨ ଦିନ ତଳେ ଆତ୍ମହତ୍ୟା କରିଥିବାବେଳେ ଏଥିପାଇଁ ଲବ ହାଂସଦାକୁ ଦାୟୀ କରିଛନ୍ତି ମୃତ ସୋଲମୀଙ୍କ ଭାଇ । ଖବର ଅନୁଯାୟୀ, ଲବଙ୍କ ପ୍ରେମିକା ଜଣେ ବାଇକ ରାଇଡର। ତାଙ୍କ ଘର ବିହାରରେ ଥିବାବେଳେ ବେଙ୍ଗାଲୁରୁରେ ଚାକିରି କରୁଥିଲେ । ଉଭୟଙ୍କ ଭିତରେ ଅନେକ ଦିନର ସମ୍ପର୍କ ଥିଲା । ଲବ ହାଂସଦାର ଅନେକ ମହିଳାଙ୍କ ସହ ସମ୍ପର୍କ ଥିବା କଥା ଜାଣିବାକୁ ପାଇଥିଲା ସୋଲମୀ । ଏନେଇ ଲବକୁ ପଚାରିବାରୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲା ଲବ । ଶେଷରେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲେ ସୋଲମୀ । ଆତ୍ମହତ୍ୟାର କିଛି ସମୟ ପୂର୍ବରୁ ମଧ୍ୟ ସୋଲମୀ ଲବକୁ ଯୋଗାଯୋଗ କରିଥିଲେ ବୋଲି ସୋଲମୀଙ୍କ ଭାଇ କହିଛନ୍ତି । ମୃତ ସୋଲମୀଙ୍କ ଭାଇ ଆହୁରି କହିଛନ୍ତି ଯେ, ତାଙ୍କ ଭଉଣୀଙ୍କ ଶେଷ ପୋଷ୍ଟକୁ ଡିଲିଟ କରାଯାଇଛି। ଲବଙ୍କ ପାଖରେ ତାଙ୍କ ଭଉଣୀଙ୍କର ଫେସବୁକ୍, ୟୁଟୁବ, ଇନଷ୍ଟା ଓ ମୋବାଇଲର ପାସୱାର୍ଡ ଆସେସ ଥିଲା। ଫଳରେ ଲବ ସେ ସବୁ ପୋଷ୍ଟକୁ ଡିଲିଟ କରିଥିବା ଅଭିଯୋଗ କରିଛନ୍ତି ତାଙ୍କ ଭାଇ। ଡିଲିଟ ହୋଇଥିବା ପୋଷ୍ଟରେ ମୃତ ସୋଲମୀ ଲେଖିଥିଲେ ଯେ, ଲବ ତାଙ୍କ ସହ ପ୍ରତାରଣା କରିଛନ୍ତି। ସେ ପୂର୍ବରୁ ୨ ଥର ବାହା ହୋଇଛନ୍ତି। ତାଙ୍କର ଗୋଟେ ୫ ବର୍ଷର ଶିଶୁ ରହିଛି। ଏ ସବୁକୁ ସେ ଲୁଚାଇଥିଲେ। ସେ ମୋତେ ପ୍ରଥମେ ପ୍ରେମ ଜାଲରେ ଫସାଇଲେ। ପରେ ମୋତେ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସେ ମୋ ହତ୍ୟାକାରୀ ବୋଲି ଡିଲିଟ ପୋଷ୍ଟରେ ଲେଖାଯାଇଥିଲା।





