ପାରାଦୀପ, (ବାଘୁଆବାର୍ତ୍ତା): ପାରାଦୀପ ଉପକଣ୍ଠ ମାହାଳ ଗ୍ରାମରେ ଏକ ବିରଳ ବନ୍ୟଜନ୍ତୁ ‘ହନି ବାଜର୍ସ’କୁ ଦେଖିବାକୁ ମିଳିଥିଲା । ଏହି ଜନ୍ତୁକୁ କିଛି ଲୋକ ଫାଶ ବସାଇ ଧରିଥିବା ବେଳେ ତାକୁ ପରେ ଛାଡ଼ି ଦେଇଥିବା ଜଣାପଡ଼ିଛି । ମାତ୍ର ଧରାପଡ଼ିବା ପରେ ଏହାର ଭିଡିଓ ଉତ୍ତୋଳନ କରାଯାଇ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଇଛି । ଏଭଳି ଜନ୍ତୁକୁ ପାରାଦୀପରେ ପୂର୍ବରୁ କେହି କେବେ ଦେଖି ନଥିବା କହୁଛନ୍ତି । ବନ୍ୟଜନ୍ତୁ ବିଶେଷଜ୍ଞଙ୍କ କହିବାନୁଯାୟୀ, ଏହା ଏକ ସ୍ତନ୍ୟପାୟୀ ପ୍ରାଣୀ ଯାହାକି ଭାରତୀୟ ଜଳବାୟୁରେ ବିରଳ । ଏହି ପଶୁ ଆଫ୍ରିକୀୟ ଦେଶ ସମେତ ପଶ୍ଚିମ ଏସିଆ, ସାଉଦି ଆରବ ଓ ଇରାନ ଭଳି ଦେଶରେ ଦେଖିବାକୁ ମିଳନ୍ତି । ଅତି ଗରମ କିମ୍ବା ଥଣ୍ଡା ଜଳବାୟୁରେ ଏହା ଅତି ସହଜରେ ନିଜକୁ ଖାପ ଖୁଆଇ ଚଳିପାରେ । ହେଲେ ମାହାଳ ଅଞ୍ଚଳକୁ ଏହା କିଭଳି ଓ କେଉଁଠୁ ଆସିଲା ତାହା ଏବେ ପ୍ରଶ୍ନବାଚୀ । ଗୋଟିଏପଟେ ଶିଳ୍ପାଞ୍ଚଳରୁ ଧିରେ ଧିରେ ଜଙ୍ଗଲ ନଷ୍ଟ ହେଉଥିବା ବେଳେ ବନ ବିଭାଗ ଏଥିପ୍ରତି ଧ୍ୟାନ ନଦେବା ଓ ବିଭାଗୀୟ ଅବହେଳାରୁ ଅନେକ ବିରଳ ଜୀବ ବି ଧ୍ୱଂସାଭିମୁଖି ହେଉଥିବା ଲକ୍ଷ୍ୟ କରାଯାଉଛି ବୋଲି ବନ୍ୟଜନ୍ତୁ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।






