ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିରୋଧୀ ଦଳ ନେତା ଜୟନାରଣ ମିଶ୍ରଙ୍କୁ ବିଜେଡିର ଟାର୍ଗେଟ । ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଲେ- ଜୟନାରାୟଣ ମିଶ୍ରଙ୍କ ମାନସିକ ସ୍ଥିତି ଠିକ୍ ନାହିଁ । କୋଲକାତାରେ ତାଙ୍କ ଚିକିତ୍ସା ଚାଲିଥିବା ବେଳେ ସକ୍ ଟ୍ରିଟମେଣ୍ଟକୁ ଡରି ଲୁଚିକି ପଳାଇ ଆସିଛନ୍ତି । ଚିକିତ୍ସା ସମ୍ପୂର୍ଣ୍ଣ ହୋଇନି, ତେଣୁ ପ୍ରତିଦିନ କିଛି ନା କିଛି ବାଉଳି ଚାଉଳି ହେଉଛନ୍ତି । ଏହାସହ ତାଙ୍କୁ ତୁରନ୍ତ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପରାମର୍ଶ ଦେଇଛନ୍ତି । ଲେନିନ କହିଛନ୍ତି, ‘କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଆସିଥିବା ବେଳେ ଜୟନାରାୟଣ ମିଶ୍ର କୋଲକାତାର ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେଣୁ ସେତେବେଳେ କ’ଣ ଘଟିଥିଲା ତାହା ଜାଣିବା ତାଙ୍କ ପକ୍ଷେ ସମ୍ଭବ ପର ନଥିଲା । ସେଥିପାଇଁ ଗଣମାଧ୍ୟମ ସାମ୍ନାରେ ପୁଣି ନିଜର ପାଗଳାମି ଦେଖାଇଛନ୍ତି । ମନମୋହନଙ୍କୁ ସମ୍ବାଲପୁର ନଯିବାକୁ ପରାମର୍ଶ । ଏହି କ୍ରମରେ ବିଜେପି ରାଜ୍ୟ ସଭାପତି ସାମଲଙ୍କୁ ସମ୍ବଲପୁର ନଯିବାକୁ ଲେନିନ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ‘ମନମୋହନ ବାବୁଙ୍କୁ ଅନୁରୋଧ, ତୁରନ୍ତ ଜୟନାରାୟଣଙ୍କ ଚିକିତ୍ସା ବ୍ୟବସ୍ଥା କରାନ୍ତୁ । ଚିକିତ୍ସା ନସରିଲା ପର୍ୟ୍ୟନ୍ତ ଦୟାକରି ସମ୍ବଲପୁର ଯାଆନ୍ତୁନି । ନଚେତ ବଲାଙ୍ଗୀରରେ ସିନା ଆପଣ ଅଳ୍ପକେ ମାଡ ଖାଇବାରୁ ବର୍ତ୍ତିଗଲେ, ହେଲେ ସମ୍ବଲପୁରରେ ଜୟନାରାୟଣ ମିଶ୍ରଙ୍କ ବାଚଳାମିରୁ ବର୍ତ୍ତି ପାରିବେ ନାହିଁ । ପୂର୍ବତନ ସଭାପତି ସମୀର ମହାନ୍ତିଙ୍କ ସହ କଣ ଘଟିଥିଲା ସେ କଥା ବି ମନମୋହନଙ୍କୁ ମନେ ପକାଇ ଦେଇଛନ୍ତି ଲେନିନ । ଏହାସହ ଜୟନାରାୟଣଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଅଣଦେଖା ନକରିବାକୁ ସବୁ ବିଜେପି ନେତାଙ୍କୁ ପରାମର୍ଶ ଦେବା ସହ ତୁରନ୍ତ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଛନ୍ତି ।





