ଭୁବନେଶ୍ବର, (ବାଘୁଆବାର୍ତ୍ତା): ଭୁବନେଶ୍ବର ପଳାଶୁଣି କପିଳେଶ୍ବର ବିହାର ଲେନ ୬ ରେ ଜଣେ ବ୍ୟକ୍ତିଙ୍କ ତଳ ମହଲା ଗାଧୁଆ ଘରେ ପଶି ଯାଇଥିଲା ଏକ ମୋଟା ଗୋଧି । ଗୋଧି ଟି ବାହାର କାନ୍ଥ ରେ ଲାଗିଥିବା ପ୍ଲାଷ୍ଟିକ ପାଇପ କୁ ଧରି ଉପରକୁ ଉଠି ସ୍କାଇ ଲାଇଟ ପଟେ ପଶି ଗାଧୁଆ ଘରେ ଖସି ପଡ଼ିଥିଲା । ଆଉ ବାହାରି ନ ପାରି କେବଳ ସେଇ ଗାଧୁଆ ଘର ଭିତରେ ଏପଟ ସେପଟ ହେଉଥିଲା । କିନ୍ତୁ ଭିତର କାନ୍ଥ ରେ ଟାଇଲ ଲାଗିଥିବା ହେତୁ ଗୋଧି ଟି ଆଉ ଉପରକୁ ଚଢି ପାରି ନଥିଲା । ଘର ଲୋକେ ଗୋଧି ଟିକୁ ଗାଧୁଆ ଘରୁ ତଡିବା ପାଇଁ ବ୍ଲିଚିଂ ପାଉଡର ମଧ୍ୟ ଚଟାଣ ଉପରେ ଛିଞ୍ଚି ଥିଲେ, ହେଲେ କବାଟ ବନ୍ଦ ଥିବାରୁ ଗୋଧି ଟି ବାହାରକୁ ବାହାରି ନଥିଲା । ଗୋଧି ଟି ଏତେ ବଡ଼ ଥିଲା ଯେ ପାଇଖାନା ର ଗାତ ଭିତରେ କେବଳ ମୁଣ୍ଡ ହିଁ ପୁରେଇ ପାରୁଥିଲା, ହେଲେ ବାକି ଦେହ ସେମିତି ବାହାରେ ରହୁଥିଲା । ଏମିତି ୪ ଦିନ କଟିବା ପରେ ଘର ଲୋକେ ପଞ୍ଚମ ଦିନ ସ୍ନେକ ହେଲ୍ପ ଲାଇନ କୁ ଉଦ୍ଧାର ପାଇଁ ଫୋନ କରିଥିଲେ । ସ୍ନେକ ହେଲ୍ପ ଲାଇନ ସଦସ୍ୟ ରାଜେଶ ସୁତାର ଘଟଣା ସ୍ଥଳରେ ପହଞ୍ଚି ପ୍ରାୟ ୪ ଫୁଟ ଲମ୍ବର ବିରାଟକାୟ ବେଙ୍ଗଲ ମୋନିଟର ଲିଜ଼ାର୍ଡ ପ୍ରଜାତି ର ଗୋଧି କୁ ପାଇଖାନା ରେ ଅଧା ପସି ଥିବା ଅବସ୍ଥାରେ ଉଦ୍ଧାର କରିଥିଲେ । ପରେ ଗୋଧି ଟିକୁ ସହର ବାହାରେ ଏକ ପ୍ରାକୃତିକ ଆବାସ ସ୍ଥଳୀରେ ଛାଡି ଦିଆଯାଇଛି । ସ୍ନେକ ହେଲ୍ପ ଲାଇନ ର ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାର ଅବୈତନିକ ବନ୍ୟ ପ୍ରାଣୀ ତତ୍ତ୍ବାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି ୪ ଦିନ ପର୍ୟ୍ୟନ୍ତ ଅପେକ୍ଷା କରିବା ପରେ ଘର ଵାଲା ଆମକୁ ଡାକିଥିଲେ । ସେମାନେ ପ୍ରଥମ ଦିନରୁ ହିଁ ଯଦି ଡାକିଥାନ୍ତେ ଏତେ ଦିନ ଆଉ ଭୟରେ କାଟି ବାକୁ ପଡି ନଥାନ୍ତା । ତେବେ ଗୋଧି ଏକ ବିଷ ହୀନ ନିରୀହ ପ୍ରାଣୀ, ଏହା ମଣିଷଙ୍କର କିଛି ବି କ୍ଷତି କରିନଥାଏ । ଏଣୁ ଗୋଧି କୁ ମାରିବା ଦରକାର ନାହିଁ, ଏବଂ ଓଡ଼ିଶାରେ ବା ଭାରତରେ ମିଳୁ ଥିବା କୌଣସି ବି ଗୋଧି ପ୍ରଜାତି ବିଷଧର ନୁହଁନ୍ତି।