ନୟାଗଡ଼, (ବାଘୁଆବାର୍ତ୍ତା) : ଦାରୂଭୂତ ସାଂସ୍କୃତିକ ପରିଷଦର ପ୍ରତିଷ୍ଠାତା ତଥା ସମାଜସେବୀ ଦୁଃଖିଶ୍ୟାମ ଦାସଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି । ଭାରତବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ସ୍ୱର୍ଗତ ଶିକ୍ଷାବିତ୍ ପ୍ରଧ୍ୟାପକ ଦୁଃଖିଶ୍ୟାମ ଦାସ ଓ ଇଂ. ପ୍ରାଣକୃଷ୍ଣ ଆଚାର୍ଯ୍ୟଙ୍କର ଶ୍ରଦ୍ଧାଞ୍ଜଳି ସଭା ଶାଖା ଅଧ୍ୟକ୍ଷ ବିଦ୍ୟାଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଭାରତବିକାଶ ପରିଷଦ ଓଡ଼ିଶା ରାଜ୍ୟର ଅର୍ଥସଚିବ ଶ୍ରୀଧର ସାହୁ, ପ୍ରଫେସର ହରପ୍ରସାଦ ମହାପାତ୍ର, ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚର ସମ୍ପାଦକ ଦୁର୍ଯ୍ୟୋଧନ ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ଅଧ୍ୟାପକ ହରେକୃଷ୍ଣ ସାହୁ, ଅଜୟ କୁମାର ପଟ୍ଟନାୟକ, ଅନାଦିଚରଣ ମହାନ୍ତି, ସନ୍ତୋଷକୁମାର ନାୟକ, ଜୀବମଙ୍ଗଳ ସମିତିର ସୁବାଷଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଶାଖା ସଚିବ ପ୍ରଦୀପ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ସେହିଭଳି ଜିଲ୍ଲା କଂଗ୍ରେସ ପକ୍ଷରୁ ସଭାପତି ରଣଜିତ ଦାଶ ଶୋକବ୍ୟକ୍ତ କରିବା ସହ ତାଙ୍କର ଜୀବନ କୃତ୍ତିକୁ ସ୍ମରଣ କରିଛନ୍ତି । ସେହିଭଳି ଭାଷା ଆନ୍ଦୋଳନ ଓଡ଼ିଶା ପକ୍ଷରୁ ଶ୍ରୀଯୁକ୍ତ ଦାଶଙ୍କ ବିୟୋଗରେ ଶୋକବ୍ୟକ୍ତ କରାଯାଇଛି । ଓଡ଼ିଆ ଭାଷାରେ ଓଡ଼ିଶା ଶାସନ ଦାବି ନେଇ ହୋଇଥିବା ଆନ୍ଦୋଳନରେ ଯେଉଁ ସମର୍ଥନ ମିଳିଥିଲା ତା ମଧ୍ୟରେ ଦୁଖଃଶ୍ୟାମ ଦାଶ ଜଣେ ବୋଲି କୁହାଯାଇଛି । ନୟାଗଡ଼ ଭାଷା ଆନ୍ଦୋଳନ ସମିତିର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ସେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସେହିପରି ନୟାଗଡ଼ରେ ଓଡ଼ିଆ ବିଶ୍ୱ ବିଦ୍ୟାଳୟ ପ୍ରତିଷ୍ଠା ଦାବି, ଜିଲ୍ଲାରେ ଓଡ଼ିଆ ଭାଷାର ପ୍ରଚାରରେ ସେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ନେଇ ନୟାଗଡ଼ ଭାଷା ଆନ୍ଦୋଳନ ସମିତି ଆବାହକ ଶିବରାମ ମିଶ୍ର କହିଛନ୍ତି । ତାଙ୍କ ବିୟୋଗରେ ଓଡ଼ିଶା ଭାଷା ଆନ୍ଦୋଳନ ସମିତି ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଏବଂ ଶିବରାମ ମହାପାତ୍ର ଶୋକ ବ୍ୟକ୍ତ କରିଛନ୍ତି ।






