ଖଣ୍ଡପଡା, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ସହରର ବରିଷ୍ଠ କଣ୍ଠଶିଳ୍ପୀ ସୁରେଶ ଚନ୍ଦ୍ର ମହାପାତ୍ର(୮୭)ଙ୍କର ବୁଧବାର ଦିନ ପରଲୋକ ହୋଇଯାଇଛି । ଦୀର୍ଘମାସ ଧରି ସେ ଅସୁସ୍ଥ ଥିଲେ । ଗଡ଼ଜାତ ଖଣ୍ଡପଡ଼ା ଅଂଚଳର ପ୍ରାଚୀନ ଲୋକକଳା ଢୁମ୍ପା ସଙ୍ଗୀତର ଜଣେ ଆଗଧାଡିର ଗାୟକ ଥିଲେ ସ୍ୱର୍ଗତ ମହାପାତ୍ର । ଏତଦ୍ବ୍ୟତିତ ଓଡିଶୀ ଗୀତ, ଛାନ୍ଦ, ଚମ୍ପୁ ଓ ଭଜନ ପରିବେଷଣ କରି ସମସ୍ତଙ୍କ ମନ ଜିଣିବାରେ ମାହିର ଥିଲେ ସେ । ତାଙ୍କର ବିୟୋଗରେ ଖଣ୍ଡପଡା ଅଚଂଳବାସୀ ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କୁ ହରାଇଲା ବୋଲି ବହୁ ବିଶିଷ୍ଟବ୍ୟକ୍ତ ବିଶେଷ ଶୋକବାର୍ତାରେ ପ୍ରକାଶ କରିଛନ୍ତି । ମୃତ୍ୟୁ ଖବର ପ୍ରଚାରିତ ହେବାପରେ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଖଣ୍ଡପଡା ବଜାର ସାହିସ୍ଥିତ ତାଙ୍କ ବାସଭବନରେ ପହଁଚି ଶେଷ ଦର୍ଶନ କରିଥିଲେ । କଣ୍ଠଶିଳ୍ପୀ ଭିକାରୀ ମହମ୍ମଦ, ନାଟ୍ୟ ନିର୍ଦ୍ଦେଶକ ରାମଚନ୍ଦ୍ର ଦାଶ ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ, ସିଦ୍ଧାର୍ଥ ଶେଖର ସିଂ, ପୂର୍ବତନ ମନ୍ତ୍ରୀ ତଥା ଉପବାଚସ୍ପତି ବିଭୁତିଭୂଷଣ ସିଂ ମର୍ଦ୍ଦରାଜ ପ୍ରମୁଖ ତାଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ଥାନୀୟ ମା ଉମାଦେବୀ ମନ୍ଦିର ନିକଟସ୍ଥ ଶ୍ମଶାନ ଘାଟରେ ଏକ ଶୋକାକୂଳ ପରିବେଶରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି । ବଡପୁଅ ସଚ୍ଚିଦାନନ୍ଦ ମହାପାତ୍ର ମୁଖାଗ୍ନି ଦେଇଥିଲେ ।





