ପଟ୍ଟାମୁଣ୍ଡାଇ, (ବାଘୁଆବାର୍ତ୍ତା): ତାଣ୍ଡବ ରଚି ଛାଡ଼ିଯାଇଛି ପ୍ରଳୟଙ୍କରୀ ବାତ୍ୟା ୟାସ୍। ହେଲେ ଛାଡ଼ିଯାଇଛି ଦୁର୍ଦ୍ଦଶା। ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି ବାତ୍ୟା ୟାସ୍। ଭୋ ଭୋ ହୋଇ କାନ୍ଦୁଛି ଚଷା ପୁଅ। ବାତ୍ୟା ପ୍ରଭାବରେ କେଉଁଠି ଲୁଣାପାଣି ମାଡ଼ିଯାଇଛି ତ କେଉଁଠି ଏକର ଏକର ଚାଷ ଜମି ଲୁଣିରେ ବୁଡ଼ି ରହିଛି। ଫଳରେ ଏକର ଏକର ଧାନ ଚାଷ ଓ ପନିପରିବା ଚାଷ ସମ୍ପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଉଛି। ଯେଉଁ କ୍ଷେତରେ ସୁନାର ଫସଲ ଦେଖି ଦିନେ ମୁରୁକି ଦେଖୁଥିଲା ଚଷା ପୁଅ ଆଜି ଜମିକୁ ଦେଖି ଭୋ ଭୋ ହୋଇ କାନ୍ଦୁଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରେ ଦେଖିବାକୁ ମିଳିଛି ଏଭଳି ଦୁର୍ଦ୍ଦଶା। ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାତ୍ୟା ପରେ ଚାଷ ଜମିରେ ଲୁଣାପାଣି ମାଡ଼ିଯିବାରୁ ଫସଲ ସବୁ ନଷ୍ଟ ହୋଇଯାଇଛି। ଏବେ ସୁଦ୍ଧା ମଧ୍ୟ ଏକର ଏକର ଚାଷ ଜମି ଲୁଣାପାଣିରେ ବୁଡ଼ିରହିଛି। ମହାମାରୀ ବେଳେ ଏବେ ଦାଉ ସାଧିଛି ବାତ୍ୟା। ବର୍ଷ ଜାକର ଉପାର୍ଜନ ବନ୍ୟା ପାଣିରେ ଭାସିଯିବାରୁ ଏବେ ପରିବାର ପ୍ରତିପୋଷଣ ପାଇଁ ଚାଷୀ ମୁଣ୍ଡରେ ଚଡ଼କ। ତେବେ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି ଚାଷୀକୂଳ।






