ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦେଶର ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇ ଡିଏଲଏଫ ଲାଞ୍ଚ କାରବାର ମାମଲାରେ କ୍ଲିନଚିଟ ଦେଇଥିବା ଜଣାପଡିଛି । ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଏନଡିଟିଭିରେ ରିପୋର୍ଟ ପ୍ରକାଶ ପାଇଛି । ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରାୟ ୩ ବର୍ଷ ଜେଲରେ ରହିବା ପରେ ଏପ୍ରିଲ ମାସରେ ଜାମିନ ପାଇଥିଲେ । ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲା ଘଟିଥିଲା । ଲାଲୁ ଏଥିରେ ସାମିଲ ଥିବା ସନ୍ଦେହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା । ହେଲେ ଏବେ ଲାଲୁଙ୍କୁ ତଦନ୍ତକାରୀ ସଂସ୍ଥା କ୍ଲିନଚିଟ ଦେଇଥିବା ଜଣାପଡିଛି । ସିବିଆଇର ଅର୍ଥନୀତି ଅପରାଧ ଶାଖା ୨୦୧୮ ଜାନୁଆରୀ ମାସରୁ ଲାଲୁଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ଲାଲୁ ଓ ରିୟଲ ଷ୍ଟେଟ ଗ୍ରୁପ ଡିଏଲଏଫ ଗ୍ରୁପ ମଧ୍ୟରେ କ’ଣ ସବୁ କାରବାର ହୋଇଥିଲା, ତା’ର ଲିଙ୍କ ଖୋଜିଥିଲା । ମୁମ୍ବାଇର ବାନ୍ଦ୍ରାରେ ରେଳ ପ୍ରକଳ୍ପ ଓ ନୂଆଦିଲ୍ଲୀ ରେଳ ଷ୍ଟେସନର ଉନ୍ନତୀକରଣ କାମ ହାତେଇବାକୁ ଡିଏଲଏଫ ଲାଲୁଙ୍କୁ ବ୍ୟାପକ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା । ୨୦୦୭ ଡିସେମ୍ବର ମାସରେ ଦକ୍ଷିଣ ଦିଲ୍ଲୀରେ ନ୍ୟୁ ଫ୍ରେଣ୍ଡସ କଲୋନୀରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିଃ ନାମକ ଗୋଟିଏ ସେଲ କମ୍ପାନୀ ୫ କୋଟି ଟଙ୍କାରେ ଗୋଟିଏ ଜମି କିଣିଥିଲା । ଲେକ୍ସିସ ଇନଫୋଟେକ ପ୍ରାଇଭେଟ ଲିଃ ଓ ଅନ୍ୟ ଶେଲ କମ୍ପାନୀ ଜରିଆରେ ଡିଏଲଏଫ ହୋମ ଡେଭଲପର୍ସ ଏଥିପାଇଁ ଅର୍ଥ ଦେଇଥିବା ଅଭିଯୋଗ ହୋଇଥିଲା । ଉକ୍ତ ଜମିର ମୂଲ୍ୟ ସେହି ସମୟରେ ୩୦ କୋଟି ଟଙ୍କା ଥିବା ବେଳେ ଏହା କେମିତି ୫ କୋଟି ଟଙ୍କାରେ କିଣା ଗଲା, ତା’କୁ ନେଇ ପ୍ରଶ୍ନ ଉଠିଥିଲା । ୨୦୧୧ ମସିହାରେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ, ତାଙ୍କ ପରିବାର ସଦସ୍ୟ ଚନ୍ଦା ଯାଦବ ଓ ରାଙ୍ଗିନି ଟ୍ରାନ୍ସଫର ଅଫ ଶେୟାର ଜରିଆରେ ୪ ଲକ୍ଷ ଟଙ୍କାରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିଃ କିଣିଥିବା ଅଭିଯୋଗ ହୋଇଥିଲା । ଏହାଦ୍ୱାରା ସେମାନେ ଦକ୍ଷିଣ ଦିଲ୍ଲୀରେ ଥିବା ୫ କୋଟି ଟଙ୍କା ଜମିକୁ ମଧ୍ୟ ଦଖଲ କରିଥିଲେ । ଅଭିଯୋଗ ପରେ ସିବିଆଇ ଲାଲୁଙ୍କ ଉପରେ ୨ ବର୍ଷ କାଳ ତଦନ୍ତ କରିଥିଲା । ହେଲେ କୌଣସି ଲିଙ୍କ ନ ପାଇବାରୁ ଏବେ ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ।






