ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ରାଜନୀତିରେ ହଟଚମଟ । ନୟାଗଡ଼ ବିଜେପିକୁ ଗଢ଼ି ତୋଳିଥିବା ଲାଲା ମନୋଜ ରାୟ ଓ ଇରାନୀ ରାୟ ଆଜି ବିଜେପି ଦଳ ତ୍ୟାଗ କରିଛନ୍ତି । ଉଭୟ ପତି ପତ୍ନୀ ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ଚିଠି ଲେଖିଛନ୍ତି । ନୟାଗଡ଼ ଜିଲ୍ଲା ପୂର୍ବତନ ବିଜେପି ରାଜ୍ୟ ସଭାପତି ଲାଲା ମନୋଜ ରାୟ ବିଜେପି ଛାଡ଼ିଲା ପରେ ନୟାଗଡ଼ ରାଜନିତୀରେ ବିଜେପି ନେତା ଓ କର୍ମୀଙ୍କ ଅଣ୍ଟା ଭାଙ୍ଗି ପଡିଛି । ଲାଲା ମନୋଜ ରାୟ ନୟାଗଡ଼ ଜିଲ୍ଲା ବିଜେପି ସଭାପତି ରହିଥିବା ବେଳେ ସେ ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଅନେକ ଚେଷ୍ଟା କରିଥିଲେ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କୁ ହରେଇବା ପାଇଁ ଅହରହ ଉଦ୍ୟମ ଚଳାଇଥିଲେ । ୨୦୧୯ ମସିହାରେ ତାଙ୍କ ପତ୍ନୀ ଇରାନୀ ରାୟ ନୟାଗଡ଼ ନିର୍ବାଚନ ମଣ୍ଡଳୀ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ । ଇରାନୀ ରାୟ କମ ଭୋଟରେ ଡ. ସାହୁଙ୍କ ଠାରୁ ହାରିଥିଲେ । ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଇରାନୀ ରାୟ ଅହରହ ଉଦ୍ୟମ ଜାରି ରଖିଥିଲେ । ଇରାନୀ ରାୟ ନିର୍ବାଚନ ହାରିଲା ପରେ ପଞ୍ଚାୟତ ନିର୍ବାଚନ ଓ ପୌର ନିର୍ବାଚନ ପାଇଁ କର୍ମୀ ଓ ନେତା ମାନଙ୍କୁ ଉତ୍ସାହିତ କରି ନିର୍ବାଚନ ଲଢ଼ାଇଥିଲେ । ଏହା ସତ୍ୱେ ବିଜେପି ରାଜ୍ୟ ସଭାପତି ସେମାନଙ୍କୁ ଅଣଦେଖା କରିବାରୁ ଉଭୟ ଲାଲା ମନୋଜ ରାୟ ଓ ଇରାନୀ ରାୟ ବିଜେପିର ସାଧାରଣ ସଦସ୍ୟ ପଦବୀରୁ ଇସ୍ତଫା ଦେଇଥିବା ସୁଚନା ମିଳିଛି ।






