ଭୁବନେଶ୍ୱର (ବାଘୁଆବାର୍ତ୍ତା): ଲକ୍ଷ୍ମୀପୁର ବ୍ଳକ ସଦରରେ କିଛି ଦିନ ହେବ ଏବେ ବାହାର ଅଞ୍ଚଳର ଅଣ ଓଡ଼ିଆ ଲୋକେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି । ଘର ଘର ବୁଲି ବିଭିନ୍ନ ଜିନିଷ ବିକ୍ରି କରୁଛନ୍ତି କେହି ଖାଇବାକୁ ଟିକେ ଦିଅ ବୋଲି ମାଗୁଛନ୍ତି । ଏହାରି ଆଳରେ ସୁବିଧା ଦେଖି ଘର ଭିତରେ ପଶି ଚୋରି କରିବାକୁ ମଧ୍ୟ ପଛାଉ ନାହାନ୍ତି । ସେହି ପରି ବୁଧବାର ଦିନ ସାଂଗାନ୍ନା ହାଇସ୍କୁଲର ଜଣେ ଶିକ୍ଷକଙ୍କ ଘରେ ଖରାବେଳେ ଜଣେ ମହିଳା ଛୋଟ ପିଲାଟିକୁ କାଖେଇ ଭିତରକୁ ପଶି ଯାଇଥିଲା । ଭିତରେ ଶିକ୍ଷକ ଜଣକ ଖଟ ଉପରେ ଶୋଇଥିବା ଦେଖି ମହିଳା ଜଣକ ପକେଟରୁ ପର୍ସ କାଢ଼ି ଟଙ୍କା କାଢୁଥିବାର ସମୟରେ ଶିକ୍ଷକଙ୍କ ସ୍ତ୍ରୀଙ୍କ ହାବୁଡରେ ପଡ଼ି ଯାଇଥିଲା । ସିଏ ପାଟି କରିବାରୁ ଉକ୍ତ ମହିଳା କିଛି ନକହି ପର୍ସ ଫିଙ୍ଗି ଦୌଡି ପଳାଇ ଯାଇଥିଲା । ପର୍ସରୁ କୌଣସି ଟଙ୍କା ଚୋରି ହୋଇ ନାହିଁ । ତେବେ ଏଭଳି ଚୋର ମାତି ଥିବାରୁ ଲୋକଙ୍କ ଚିନ୍ତା ବଢ଼ିଯାଇଛି । କରୋନା ପାଇଁ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଲାଗୁ କରିଥିବା ବେଳେ ବୁଲା ବିକାଳି ମାନେ ଏବେ ସବୁକ୍ଷେତ୍ରରେ ବିପଦ ସୃଷ୍ଟି କରିଛନ୍ତି । ଏଇଭଳି ଲୋକଙ୍କ ପାଇଁ ଏହି ଅଞ୍ଚଳରେ ଆଗକୁ ଚୋରି ବଢ଼ିବା ସହ କରୋନା ସଂକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୁଲିସ ପ୍ରସାସନ ବାହାରୁ ଆସି ଏଠି ଗାଁଗାଁ ବୁଲି ବେପାର ବଣିଜ କରୁଥିବା ଲୋକଙ୍କ ପ୍ରତି ନଜର ରଖିବା ସହ ତୁରନ୍ତ ସେମାନଙ୍କୁ ଏଠାରୁ ଖାଲି କରାଇବାକୁ ଜନ ସାଧାରଣଙ୍କ ମତ ପ୍ରକାଶ ପାଇଛି ।






