ସମ୍ବଲପୁର, (ବାଘୁଆବାର୍ତ୍ତା): ସହରରେ ପୁଣି ମାତିଲେଣି ମହିଳା-ଶିଶୁ ଗ୍ୟାଙ୍ଗ୍ । ଆଖି ପିଛୁଳାକେ ଘରେ କଳାକନା ବୁଲାଇ ଦେଉଛନ୍ତି ଏହି ଗ୍ୟାଙ୍ଗ୍ । ୭ ମାସ ତଳେ ସମ୍ବଲପୁର ସହରରେ ଏହି ଗ୍ୟାଙ୍ଗ୍ ଆତଙ୍କ ସୃଷ୍ଟି କରିବା ସହ ସଦର ଥାନା ଓ ଅଇଁଠାପାଲି ଥାନା ଅଞ୍ଚଳରେ ଏକାଧିକ ଚୋରି କରିଥିଲେ । ଏହି ଗ୍ୟାଙ୍ଗ୍ ଏବେ ବି ପୁଲିସ୍ ରାଡାର୍କୁ ଆସିପାରୁନି । ପୁଣି ଥରେ ଦୀର୍ଘ ୭ ମାସ ପରେ ଏହି ଗ୍ୟାଙ୍ଗ୍ ଟାଉନ୍ ଥାନା ଅନ୍ତର୍ଗତ ନନ୍ଦପଡ଼ାର ଫଣି ମିଶ୍ରଙ୍କ ଘରୁ ମୋବାଇଲ୍ ନେଇ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଏନେଇ ସେ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ଏହି ଘଟଣାର ତମାମ୍ ଦୃଶ୍ୟ ସିସିଟିଭିରେ କଏଦ୍ ହୋଇଥିବା ବେଳେ ଏହା ଏବେ ଭାଇରାଲ୍ ହେବାରେ ଲାଗିଛି । ସିସିଟିଭିରେ ଦେଖା ଯାଉଥିବା ଘଟଣା ଅନୁସାରେ, ସକାଳ ୧୦ଟା ୨ ମିନିଟ୍ରେ ୨ ଜଣ ମହିଳା ୨ ଶିଶୁଙ୍କୁ ନେଇ ଶ୍ରୀ ମିଶ୍ରଙ୍କ ଘର ନିକଟରେ ବସିଥିଲେ । କିଛି ସମୟ ପରେ ଉକ୍ତ ୨ ଶିଶୁ ଧିରେ ଧିରେ ଖେଳି ଖେଳି ଶ୍ରୀ ମିଶ୍ରଙ୍କ ଘର ନିକଟକୁ ଚାଲି ଯାଇଥିଲେ । ପ୍ରଥମେ ସେମାନଙ୍କ ମଧ୍ୟରୁ ବଡ଼ ଝିଅଟି ଶ୍ରୀ ମିଶ୍ରଙ୍କ ଘର ଭିତରକୁ ପଶିଯାଇ ତୁରନ୍ତ ବାହାରି ଯାଇଥିଲା । କିଛି ସମୟ ପରେ ସେ ପୁଣିଥରେ ଭିତରକୁ ପଶି ମୋବାଇଲ୍ ନେଇ ଦୌଡ଼ି ଦୌଡ଼ି ବାହାରକୁ ବାହାରି ଯାଇଥିଲା । ବାହାରକୁ ଆସି ଉକ୍ତ ମୋବାଇଲ୍କୁ ମହିଳାଙ୍କ ହାତକୁ ଦେବା ପରେ ସେମାନେ ଘଟଣାସ୍ଥଳରୁ ବାହାରି ରିଂ ରୋଡ୍ ଦେଇ ବାହାରି ଯାଇଥିଲେ ।





