ନୂଆପଡା, (ବାଘୁଆବାର୍ତ୍ତା): ଶ୍ରମିକଙ୍କ ରଣହୁଙ୍କାର । ନୂଆପଡ଼ା ଜିଲ୍ଲାରେ ଏକାଠି ହେଲେ ହଜାର ହଜାର ଶ୍ରମିକ । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ବିରୋଧରେ ଗର୍ଜନ ସମାବେଶ କରିଛନ୍ତି । ନୂଆପଡା ଜିଲ୍ଲା ଶ୍ରମିକ ମହାସଂଘର ଆବାହାକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ଜିଲ୍ଲାର କୋଣ ଅନୁକୋଣରୁ ବିଭିନ୍ନ ଶ୍ରମିକ ସଂଘର କାର୍ୟ୍ୟକର୍ତା ଓ ଶ୍ରମିକମାନେ ନୂଆପଡା ମିନିଷ୍ଟାଡିୟମଠାରେ ଏକତ୍ରିତ ହୋଇଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା କରିଛନ୍ତି ଶ୍ରମିକ । ସରକାରଙ୍କ ଶ୍ରମିକ ମାରଣା ନୀତିକୁ କଡ଼ା ବିରୋଧ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି, ମନେରେଗା ଯୋଜନାରେ ଦୁର୍ନୀତି, ପାରଦର୍ଶିତାର ଅଭାବ ଓ ଅପାରଗତା ଅଧିକାରୀଙ୍କ ଯୋଗୁ ହିତାଧିକାରୀ ଏହର ସୁଫଳ ପାଇ ପାରୁ ନାହାନ୍ତି । ପ୍ରତିବର୍ଷ ଜିଲ୍ଲାର ବହୁ ଶ୍ରମିକ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ଜିଲ୍ଲାକୁ ଦାଦନ ମୁକ୍ତ କରିବା, ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ, ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା, ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ୟ୍ୟାଳୟ ଖରିଆର ରୋଡ଼ରୁ ନୂଆପଡା ମୁଖ୍ୟାଳୟକୁ ସ୍ଥାନାନ୍ତର, ଜିଲ୍ଲାରେ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ ସମେତ ବିଭିନ୍ନ ପଦବୀ ପୂରଣ ଆଦି ୧୮ ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏଡିଏମ୍ ଅଗସ୍ତି ପ୍ରଧାନଙ୍କୁ ପ୍ରଦାନ କରିଛନ୍ତି ଆନ୍ଦୋଳନକାରୀ । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେମାନେ ଚେତେଇ ଦେଇଛନ୍ତି ।






