ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲାରେ ବହୁ ଶିଳ୍ପାନୁଷ୍ଠାନ ଥିବା ବେଳେ ଏବେ ବୃହତ୍ କାରଖାନାଗୁଡ଼ିକ ବନ୍ଦ ହୋଇଯାଇଛି । ଫଳରେ ପ୍ରାୟ ୩୦ ହଜାରରୁ ଊଦ୍ଧ୍ୱର୍ ଶ୍ରମିକ ବେରୋଜଗାର ହୋଇଯାଇଛନ୍ତି । ଏଣୁ ଜିଲ୍ଲାରେ ବେକାର ସଂଖ୍ୟା ବଢ଼ିବା ହେତୁ ନିଶା କାରବାର ଠାରୁ ଆରମ୍ଭ କରି ପାରିବାରିକ ଅଶାନ୍ତି, ମହିଳା ନିର୍ୟାତନା ସହ ବିଭିନ୍ନ ଅସାମାଜିକ କାର୍ୟ୍ୟକଳାପ ବୃଦ୍ଧି ପାଇଛି । ଏହି ସ୍ଥିତିକୁ ସୁଧୁରିବା ପାଇଁ ସାଧାରଣରେ ଦାବି ଜୋର ଧରିଛି । ୮୦ରୁ ୯୦ ଦଶକ ମଧ୍ୟରେ ବାଲେଶ୍ୱର ଜିଲ୍ଲାରେ ୧୫ରୁ ୨୦ଟି ଶିଳ୍ପାନୁଷ୍ଠାନ ଗଢ଼ି ଉଠିଥିଲା । ସେଗୁଡ଼ିକ ମଧ୍ୟରେ ସେରଗଡ଼ ସ୍ଥିତ ଗିର୍ଲା ସିନ୍ଥେଷ୍ଟିକ୍ସ, ବାଲଗୋପାଲପୁର ସ୍ଥିତ ପୋଲାର ସିନ୍ଥେଷ୍ଟିକ୍ସ, ସୋମନାଥପୁର ସ୍ଥିତ ପୋଲାର ଲାଟେକ୍ସ, ଖନ୍ତାପଡ଼ା ସ୍ଥିତ ଲକ୍ଷ୍ମଣ କେମିକାଲ୍ସ, ନୀଳଗିରି ସ୍ଥିତ ସିଲପଟ କାରଖାନା, ରେମୁଣା ଗୋଲେଇ ସ୍ଥିତ ଭଟ୍ଟର ହୋମପାଇପ କାରଖାନା ଓ ସୀତା ପଲିମର କମ୍ପାନି, ରେମୁଣା ଗଣେଶ୍ୱରପୁର ସ୍ଥିତ ଜିଜିଏଲ କମ୍ପାନି, ବାଲଗୋପାଲପୁର ସ୍ଥିତ ବାଲେଶ୍ୱର ଆଲୋୟେଜ ଓ କଟନ ଇଣ୍ଡଷ୍ଟ୍ରି, ଛଣପୁର ସ୍ଥିତ ବିର୍ଲା ଟାୟାର୍ସ ସମେତ ଅନେକ ଛୋଟ ବଡ଼ କଳ କାରଖାନା ମାନ ଅନ୍ୟତମ । ଏତଦ୍ବ୍ୟତୀତ ୧୨ଟିରୁ ଊଦ୍ଧ୍ୱର୍ ରାଇସ୍ ମିଲ ଓ ହୋଟେଲ ଶିଳ୍ପ ମଧ୍ୟ ରହିଥିଲା । ଏହି ସମସ୍ତ ଶିଳ୍ପାନୁଷ୍ଠାନଗୁଡ଼ିକରେ ଅତି କମ୍ରେ ସିଧାସଳଖ ଭାବେ ୩୦ହଜାରରୁ ଊଦ୍ଧ୍ୱର୍ ଶ୍ରମିକ କାର୍ୟ୍ୟ କରୁଥିଲେ । ପରୋକ୍ଷ ଭାବେ ୧ଲକ୍ଷରୁ ଅଧିକ ଲୋକ ଏହି ଶିଳ୍ପ ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରୁଥିଲେ । ଜିଲ୍ଲାରେ ପର୍ୟ୍ୟାପ୍ତ ଭିତ୍ତିଭୂମି ରହିଥିଲେ ବି ଦୁର୍ବଳ ନେତୃତ୍ୱ ତଥା ଦୂରଦୃଷ୍ଟିର ଅଭାବରୁ କାଳକ୍ରମେ ଏହି ଶିଳ୍ପାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଗଲା । ଫଳରେ ବର୍ତ୍ତମାନ ଳକ୍ଷ ଲକ୍ଷ ଲୋକ ବେକାର ହୋଇଯାଇଛନ୍ତି । ଜୀବିକା ହରାଇ ସେମାନେ ପରିବାର ଚଳାଇବାରେ ଅସମର୍ଥ । ଅନେକେ ବାଧ୍ୟହୋଇ ଅପରାଧିକ କାର୍ୟ୍ୟକଳାପରେ ଜଡ଼ିତ ହେଲେ । ବିଭିନ୍ନ ନିଶା କାରବାରରେ ଲିପ୍ତ ରହିଲେ । ଏଥିପାଇଁ ଜିଲ୍ଳାରେ ପାରିବାରିକ କଳହ, ନାରୀ ନିର୍ୟାତନା, ଚୋରି, ଡକାୟତି, ରାହାଜାନି, ଛିନ୍ତାଇ ଇତ୍ୟାଦି ଘଟି ଚାଲିଛି । ଧୀରେ ଧୀରେ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ୟ୍ୟସ୍ତ ଆଡ଼କୁ ଗତି କରି ଚାଲିଛି । ଶିଳ୍ପାନୁଷ୍ଠାନଗଡ଼ିକ ବନ୍ଦ ହେବା ଫଳରେ ଜିଲ୍ଳାର ଆର୍ଥିକ ମାନଦଣ୍ଡ ମଧ୍ୟ ଦୁର୍ବଳ ହୋଇଛି । ବାଧ୍ୟହୋଇ ଶ୍ରମିକମାନେ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଦାଉ ସାଜିଛି କରୋନା ମହାମାରୀ । ସ୍ଥିତି ଗମ୍ଭୀର ହେବାରୁ ଲକ୍ଡାଉନ, ସଟ୍ଡାଉନ ଯୋଗୁଁ ବେକାର ଯୁବକ/ଯୁବତୀମାନେ କାମଧନ୍ଦା ନପାଇ ଘରେ ହାତ ବାନ୍ଧି ବସୁଛନ୍ତି । ଫଳରେ ପାରିବାରିକ ହିଂସା ବୃଦ୍ଧି ଘଟୁଛି । ତେଣୁ ଜିଲ୍ଳାରେ ସଂଗୀନ ପରିସ୍ଥିତି ଉପୁଜିଛି । ଏହି ସମସ୍ତ ସମସ୍ୟାର ସମାଧାନ ପାଇଁ ସରକାରୀ ସ୍ତରରେ ତତ୍ପରତା ଜରୁରି । କୁଟୀର, ମଧ୍ୟମ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହେବା ଆବଶ୍ୟକ । ତତ୍ସହିତ ରୁଗ୍ଣ ଶିଳ୍ପାନୁଷ୍ଠାନଗୁଡ଼ିକୁ ସରକାରୀ ସ୍ତରରେ ପ୍ରୋତ୍ସାହନ ଯୋଗାଇ ଦେଲେ ବେକାର ସମସ୍ୟା କିଛିଟା ସମାଧାନ ହୋଇପାରନ୍ତା ବୋଲି ବୃଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ଦଳମତ ନିର୍ବିଶେଷ ତଥା ରାଜନୀତି ଊଦ୍ଧ୍ୱର୍ରେ ରହି ଜିଲ୍ଲାରେ ପୁଣିଥରେ ଶିଳ୍ପ ଆନ୍ଦୋଳନ ସୃଷ୍ଟି ହେଲେ ବେକାର ସମସ୍ୟାର ସମାଧାନ ସହିତ ଆର୍ଥିକ ପରିସ୍ଥିତିରେ ସୁଧାର ଆସିବ ଏହା ନିଃସନ୍ଦେହ ।






