ଦେବଗଡ଼, (ବାଘୁଆବାର୍ତ୍ତା): ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାଞ୍ଚଳ ଝରାଡିହି ଗାଁରେ ଘଟିଛି ଅଭାବନୀୟ ଘଟଣା। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନୃଶଂସ ସ୍ଵାମୀ। ମୃତକ ମହିଳା ହେଲେ ଝରାଡିହି ଗାଁର ବିଭୂତି ଭୂଷଣ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା ପ୍ରଧାନ। ଖବର ଅନୁଯାୟୀ, ଗୁରୁବାର ରାତିରେ କୁଣ୍ଢେଇଗୋଳା ଥାନାଞ୍ଚଳ ଝରାଡିହି ଗାଁର ବିଭୂତି ଭୂଷଣ ପ୍ରଧାନ ଓ ସ୍ତ୍ରୀ ଚଞ୍ଚଳା ପ୍ରଧାନଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ବିଭୂତି ସ୍ତ୍ରୀ ଚଞ୍ଚଳାକୁ ଅତି ଅମାନୁଷିକ ଭାବେ ପିଟିବା ସହ ତଣ୍ଟି ଚିପି ଦେଇଥିଲେ। ଖବର ପାଇ ଚଞ୍ଚଳାଙ୍କ ବାପା ନିକଟସ୍ଥ ଅରଖପାଳ ଗ୍ରାମରୁ ଆସି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେ ଚଞ୍ଚଳାଙ୍କୁ ଅଚେତ ଅବସ୍ଥାରେ ନିକଟସ୍ଥ ଛତାବର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଚଞ୍ଚଳାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାପରେ ଅଭିଯୁକ୍ତ ସ୍ବାମୀ ବିଭୂତି ଓ ତାଙ୍କ ପରିବାର ଫେରାର ହୋଇଯାଇଛନ୍ତି। କୁଣ୍ଢେଇଗୋଳା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି।





