ଭଦ୍ରକସିଟି, (ବାଘୁଆବାର୍ତ୍ତା): ରାତି ପାହିଲେ କୁଆଁର ପୂର୍ଣ୍ଣିମା। କୁମାରୀମାନେ ମନଲାଖି ବର ପାଇବା ପାଇଁ ତୁଳସୀ ଚଉରା ମୂଳେ ପୂଜା କରିବା ସହ ବ୍ରତ ରଖିଥା’ନ୍ତି । ମହାମାରୀ କରୋନା ପାଇଁ ଗତ ବର୍ଷ ଏହି ପର୍ବ ଫିକା ପଡ଼ିଥିଲା । ଏଥର କିନ୍ତୁ ଏହାକୁ ହାତଛଡ଼ା କରିବାକୁ ଚାହିଁନାହାନ୍ତି କୁମାରୀମାନେ । ନିଜ ନିଜ ଘରେ ପାଳନ ପାଇଁ ପ୍ରସ୍ତୁତ ଅଛନ୍ତି । ସାହି, ଗାଁ ଝିଅମାନେ ମିଶି ଏହି ପର୍ବ ପାଳନ କରିବେ । ଓଡ଼ିଶାରେ ବାର ମାସରେ ତେର ପର୍ବ । ତନ୍ମଧ୍ୟରୁ ଜହ୍ନିଓଷା ଏକ ନିଆରା ପର୍ବ ।ମାସେ ଧରି କୁମାରୀ ମାନେ ବ୍ରତ ପାଳନ କରିବା ସହ ଉଝାଇଥାନ୍ତି।ତେବେ କାଲି ଆନନ୍ଦ ଉଲ୍ଲାସର ସହ ବିଭିନ୍ନ ଢଙ୍ଗରେ କୁମାରୀ ପାଳିବେ କୁମାରୋତ୍ସବ । କୁମାରୀମାନେ ପ୍ରତ୍ୟୁଷରୁ ଉଠି ସୂର୍ୟ୍ୟଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିଥା’ନ୍ତି । ତା’ପରେ ନୂଆ ବସ୍ତ୍ର ପରିଧାନ ପୂର୍ବକ ସଜବାଜ ହୋଇ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା କରିଥା’ନ୍ତି । ତତ୍ସହିତ ତୁଳସୀ ଚଉରା ମୂଳେ ମଧ୍ୟ ପୂଜାର୍ଚ୍ଚନା କରିଥା’ନ୍ତି । କୁମାରୀମାନେ ଭାଦ୍ରବ ମାସ ପୂର୍ଣ୍ଣିମା ଠାରୁ ବ୍ରତ ରଖିଥା’ନ୍ତି । ଏହାକୁ ଜହ୍ନି ଓଷା ବୋଲି ମଧ୍ୟ କୁହାଯାଇଥାଏ । ଏହି ଓଷା କୁମାର ପୂର୍ଣ୍ଣିମାରେ ଶେଷ ହୋଇଥାଏ । କଅଁଳ ଚାନ୍ଦ ଦର୍ଶନ: କୁମାର ପୂର୍ଣ୍ଣିମା ସନ୍ଧ୍ୟାରେ ପ୍ରଥମେ ବୟସ୍କ ମହିଳାମାନେ କୁମାରୀମାନଙ୍କୁ ବନ୍ଦାପନା କରିଥା’ନ୍ତି । ପରେ କୁମାରୀମାନେ ଚାନ୍ଦକୁ ବନ୍ଦାଣ କରିଥା’ନ୍ତି । ଦୀର୍ଘ ଏକ ମାସ ଧରି ବ୍ରତ ପାଳି ଆସୁଥିବା କୁମାରୀମାନେ ପୂର୍ଣ୍ଣିମା ଦିନ ସନ୍ଧ୍ୟାରେ କଅଁଳ ଚାନ୍ଦ ଦର୍ଶନ କରିଥା’ନ୍ତି । ଏପରିକି ସନ୍ଧ୍ୟାରେ ସାଥୀ ଝିଅଙ୍କ ମଧ୍ୟରୁ ଜଣଙ୍କ ସହିତ ମିତ ବସାଇଥା’ନ୍ତି । ଏହାପରେ ସେହି ସାଥୀଟିର ନାଁ ନ ଧରି ଚାନ୍ଦ ନାମରେ ହିଁ ସମ୍ବୋଧନ କରିଥାଏ । ଏହି ଦିନରେ କୁଆଁରୀ ଝିଅଟିଏ ଆଖିରେ ଆଖିଏ ସ୍ୱପ୍ନ ଦେଖିଥାଏ । ମନଲାଖି ଘର, ମନଲାଖି ବର ସହିତ ନିଜର ଭବିଷ୍ୟତ ଜୀବନ ସୁଖରେ କଟିବା ପାଇଁ କାମନା କରିଥା’ନ୍ତି । ସୂର୍ୟ୍ୟଙ୍କ ଭଳି ଶକ୍ତିଶାଳୀ, ତେଜସ୍ୱୀ ହେବା ସହ ଚନ୍ଦ୍ରଙ୍କ ଭଳି କମନୀୟ, ଶାନ୍ତ, ନିର୍ମଳ ସ୍ୱଭାବର ଜୀବନ ସାଥୀ ପାଇବା ଆଶା ରଖି ଏହି ବ୍ରତ ପାଳନ କରନ୍ତି ବୋଲି ଲୋକକଥା ରହିଛି । ଖଈ, ତାଳସଜ ଓ ମଣ୍ଡାପିଠା ଭୋଗ: ତୁଳସୀ ଚଉରା ମୂଳେ ପୂଜା ପାଇଁ ମୁଖ୍ୟତଃ ଖଈ, ମଣ୍ଡାପିଠା ଓ ତାଳସଜ ଭୋଗ ଖୋଜା ପଡ଼େ । ସନ୍ଧ୍ୟାରେ ଏକ କୁଲାରେ ଏ ସମସ୍ତ ଭୋଗ ରଖି ପୂଜାର୍ଚ୍ଚନା କରାଯାଇଥାଏ । କଇଁଫୁଲ ବିନା ପୂଜା ଅଧୁରା: କଇଁ ଫୁଲ ବିନା କୁମାର ପୂର୍ଣ୍ଣିମା ଅଧୁରା । ସେଥିପାଇଁ ଏହି ଦିନ କଇଁ ଫୁଲର ଚାହିଦା କାହିଁରେ କ’ଣ । ଜହ୍ନ, କଇଁ ମଣିଷର ପ୍ରିୟ ଏବଂ ଏହି ଦୁହିଁଙ୍କ ମଧ୍ୟରେ ପ୍ରୀତି ବେଶ ନିବିଡ଼ । ଆକାଶରେ ଜହ୍ନ ଉଇଁଲେ ପୁଷ୍କରିଣୀରେ କଇଁ ଆନନ୍ଦରେ ପାଖୁଡ଼ା ମେଲାଏ । ଜହ୍ନ ଏବଂ କଇଁ ଫୁଲ ମାଧ୍ୟମରେ ଓଡ଼ିଶାର ଯୁବତୀମାନେ ମନର ମଣିଷ ମାଗିବା ବୋଧହୁଏ ଜହ୍ନି ଓଷା ବା କୁମାର ପୂର୍ଣ୍ଣିମା ।






