ଭଦ୍ରକ, (ବାଘୁଆବାର୍ତ୍ତା): ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକ ସହରର ନିର୍ମାଣାଧୀନ କୁଆଁସ ସେତୁର ବିଳମ୍ବ ନେଇ ସ୍ଥାନୀୟ ଗ୍ରାମବାସୀ ଟେଣ୍ଡର ନେଇଥିବା ଠିକାଦାର ଶଶିକାନ୍ତ ଜେନାଙ୍କୁ ଘେରାଓ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ଏପରିକି ସଂପୃକ୍ତ ଗ୍ରାମବାସୀ ଶ୍ରୀ ଜେନାଙ୍କ ଠାରୁ ସନ୍ତୋଷ ଜନକ ଉତ୍ତର ନପାଇ ତାଙ୍କୁ ତାଙ୍କ ନିଜ ଗାଡିରେ ନଦୀ ଅପରପାଶ୍ୱର୍ରେ ଥିବା କୁଆଁସ ଗ୍ରାମକୁ ନେବା ପରେ ଖବର ପାଇ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗର ଏସ୍ଡିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ନିର୍ବାହୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଅନୁଷ୍ଠିତ ବୈଠକରେ ସମସ୍ତ ବିଷୟ ଆଲୋଚନା କରିଥିଲେ । ନୂତନ ସେତୁର ନିର୍ମାଣ ପୂର୍ବରୁ ଭାଙ୍ଗିଦେବା ଫଳରେ ସ୍ଥାନୀୟ ଗ୍ରାମବାସୀ ମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଆସୁଛନ୍ତି । ତେବେ ଏହି ସେତୁ ସଂପୂର୍ଣ୍ଣ ଅକ୍ଷତ ରହି ପୂର୍ଣ୍ଣ ଚଳନକ୍ଷମ ରହିଥିବା ବେଳେ ହଠାତ ଏହି ସେତୁ ଉପରେ ଗତ ୨୦୨୧ ମାର୍ଚ୍ଚ ୨୫ ତାରିଖ ଦିନ ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକଙ୍କ ଉପସ୍ଥିତିରେ ସାଂସଦ ମଂଜୁଲତା ମଣ୍ଡଳ ଅନ୍ୟଏକ ନୂଆ ସେତୁ ନିର୍ମାଣର ଶିଳାନ୍ୟାସ କରିଥିଲେ । ପ୍ରାୟ ୬୮ ମିଟର ଲମ୍ଭ ବିଶିଷ୍ଟ ଏହି ନବନିର୍ମିତ ସେତୁର ବ୍ୟୟ ଅଟକଳ ପ୍ରାୟ ୬ କୋଟି ୪ ଲକ୍ଷ ଟଙ୍କା ରଖାଯାଇଥିବା ବେଳେ ଆଗାମୀ ବର୍ଷକ ମଧ୍ୟରେ ଏହି ସେତୁ ନିର୍ମାଣ ସଂପୁର୍ଣ୍ଣ କରିବାକୁ ବିଧାୟକ ପ୍ରତିଶୃତି ଦେଇଥିବାବେଳେ ଟେଣ୍ଡର ନେଇଥିବା ଠିକାଦାର ଶ୍ରୀ ଜେନା ପୁରୁଣା ସେତୁଟିକୁ ସେହି ମାର୍ଚ୍ଚ ମାସ ୨୮ ତାରିଖରୁ ଭାଙ୍ଗି ଦେଇଥିଲେ ମଧ୍ୟ ଏପର୍ୟ୍ୟନ୍ତ ନୂତନ ସେତୁର ଆଖି ଦୃଶିଆ କାର୍ୟ୍ୟ କରିନାହାଁନ୍ତି । ଠିକ୍ ଏତିକିବେଳେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଗତକାଲି ଭଦ୍ରକ ଗସ୍ତରେ ଆସି ଜିଲାପାଳଙ୍କୁ ତାଙ୍କ କାର୍ୟ୍ୟାଳୟରେ ଭେଟିବା ଅବସରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କୁଆଁସ ପୋଲ ଭଂଗାର ଆବଶ୍ୟକତା ନଥିଲା ବୋଲି ମନ୍ତବ୍ୟ ଦେବା ସ୍ଥାନୀୟ ଲୋକଙ୍କ ରୋଷାଗ୍ନିରେ ଘିଅ ପଡିବା ସଦୃଶ ହୋଇଥିଲା । ଫଳରେ ସ୍ଥାନୀୟ ଲୋକେ ଏଭଳି ଘଟଣାରେ ଉତ୍କ୍ଷିପ୍ତ ହୋଇ ଆଜି ଠିକାଦାର ଶ୍ରୀ ଜେନାଙ୍କୁ ଦେଖି ନିଜର ସମସ୍ତ ରୋଷ ଢାଳି ଦେଇଥିଲେ । ତେବେ ଶ୍ରୀ ଜେନା ଏହି ପୋଲର ନିର୍ମାଣ କାର୍ୟ୍ୟ ୯ ମାସ ଧରି ନହେବା ପଛରେ ପୁରୁଣା ସେତୁର ତ୍ରୁଟିପୂର୍ଣ୍ଣ ଡ୍ରଇଂର ଲାଇନ୍କୁ କାରଣ ବୋଲି ଦର୍ଶାଇ ବିଭାଗୀୟ କର୍ତ୍ତୃପକ୍ଷ ତାହା ସୁଧାରିବା ପରେ କାର୍ୟ୍ୟ ଆରମ୍ଭ ହେବ ବୋଲି କହିଥିଲେ । ମାତ୍ର ଉତ୍ତ୍ୟକ୍ତ ଲୋକେ ତାଙ୍କୁ ଏକପ୍ରକାର ହାଇଜାକ୍ କରି ନିଜ ଗ୍ରାମକୁ ନେବାପରେ ଏସ୍ଡିଓ ଓ ନିର୍ବାହୀ ଯନ୍ତ୍ରୀଙ୍କ ହସ୍ତକ୍ଷେପରେ ତାହା ପ୍ରଶମିତ ହୋଇଛି । ତେବେ ନିର୍ବାହୀ ଯନ୍ତ୍ରୀ ଆସନ୍ତାକାଲି ଠାରୁ ନୂତନ ପୋଲର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇ ତାହା ସାଢେ ପାଞ୍ଚ ମାସ ମଧ୍ୟରେ ଶେଷ ହେବା ସହ ଆପ୍ରୋଚ ରୋଡ୍ଟି ସାଇଡ୍ ସିଲେକ୍ସନ ପରେ ତିଆରି ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି ।






