କୋରାପୁଟ, (ବାଘୁଆବାର୍ତ୍ତା): କୋଟିଆର ୨୧ଟି ଗାଁରେ ପହଞ୍ଚି ସୀମା ଅନୁଧ୍ୟାନ କରିଛନ୍ତି ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା। କୁରୁଡ଼ିପଦର, ଗଞ୍ଜେଇପଦର, କୋଟିଆ, ସେମ୍ବି, ଧୂଳି ପଦର ଓ ନାରେଡ ବାଲସାରେ ପହଞ୍ଚି ସୀମାବର୍ତ୍ତୀ ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା ବୁଝିଛନ୍ତି । ଓଡ଼ିଶା ନାଗରିକ ମହାମଞ୍ଚର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଉତ୍କଳ ପୂର୍ଣ୍ଣାଙ୍ଗ ପୂର୍ଣ୍ଣନ୍ୟାସ ମଣ୍ଡଳୀର ଅଧ୍ୟକ୍ଷ ସୀତା ବହ୍ଲଭ ମହାପାତ୍ର, ଜନଅଧିକାର ସାମୁଖ୍ୟର ସଭାପତି ବିଜୟ ପରିଡ଼ା,ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ସଭାପତି ମୂରଲୀଧର ବାହୁ, ଯୁବ ସାମ୍ବାଦିକ ଚୀରଞ୍ଜୀବ ସେଠୀ, ଆମ କୋଟିଆ ସଂଗଠନ ଆବାହକ ଗଦାଧର ପରିଡ଼ା ପ୍ରମୁଖ କୋଟିଆ ଯାଇଥିଲେ । ସେଠାରେ ଓଡ଼ିଆ ନାମଫଳକ ପୋତିଛନ୍ତି। ଆନ୍ଧ୍ର ସରକାର ବ୍ୟକ୍ତିଗତ ଭାବେ କୋଟିଆ ଲୋକଙ୍କ ସହ ସମ୍ପର୍କ ସ୍ଥାପନା କରି ସରକାରୀ ସହାୟତା ଯୋଗାଇ ଦେଉଛନ୍ତି । ଏଣୁ କୋଟିଆ ଲୋକେ ଆନ୍ଧ୍ର ମୁହାଁ ହେଉଛନ୍ତି । ତେଣୁ ଓଡ଼ିଶା ସରକାର କୋଟିଆ ସମେତ ଅବିଭକ୍ତ କୋରାପୁଟର ସୀମାନ୍ତ ଅଞ୍ଚଳ ଲୋକଙ୍କ ପାଇଁ ସ୍ଵତନ୍ତ୍ର ଯୋଜନା କରିବା ଆବଶ୍ୟକତା ଥିବା ଓଡ଼ିଶା ନାଗରିକ ମହାମଞ୍ଚର କର୍ମକର୍ତ୍ତା ଦାବି କରିଛନ୍ତି ।






