କୋଣାର୍କ, (ବାଘୁଆବାର୍ତ୍ତା): କୋଭିଡ୍ କଟକଣା ମଧ୍ୟରେ ଖୋଲିଲା ବିଶ୍ଵ ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିର । କୋଭିଡର ଦ୍ବିତୀୟ ଲହର ପାଇଁ ଅପ୍ରେଲ ମାସ ୧୫ ତାରିଖଠାରୁ ବନ୍ଦ ଥିବା କୋଣାର୍କ ମନ୍ଦିର ଆଜିଠାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିଛି। ସୋମବାର ସକାଳ ୬ଟାରେ ପ୍ରଥମେ ମୁଖ୍ୟ ଫାଟକ ଖୋଲିବା ପରେ ଦେଖିବାକୁ ମିଳିଥିଲା ପର୍ଯ୍ୟଟକଙ୍କ ଗହଳି। ମନ୍ଦିର ଭିତରକୁ ପ୍ରବେଶ ପୂର୍ବରୁ ପର୍ଯ୍ୟଟକମାନଙ୍କୁ ଟିକେଟ କରିବା ଅନିବାର୍ଯ୍ୟ ଥିବା ବେଳେ, ପର୍ଯ୍ୟଟକମାନେ ଅନଲାଇନରେ ଟିକେଟ୍ କରି ମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଗୋଟିଏ ଦିନରେ ସର୍ବାଧିକ ୨୦୦୦ ପର୍ଯ୍ୟଟକଙ୍କୁ ମନ୍ଦିର ଭିତରକୁ ପ୍ରବେଶ ଅନୁମତି ପ୍ରଦାନ କରାଯାଇଛି। ତେବେ କୋଣାର୍କ ମନ୍ଦିର ଭିତରକୁ ପର୍ଯ୍ୟଟକମାନେ ଦୁଇଟି ପର୍ଯ୍ୟାୟରେ ପ୍ରବେଶ କରିପାରିବେ। ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ୧୦୦୦ ପର୍ଯ୍ୟଟକ ଏବଂ ମଧ୍ୟାହ୍ନ ୧୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟରେ ୧୦୦୦ ପର୍ଯ୍ୟଟକମାନେ ମନ୍ଦିରକୁ ଯାଇ ପାରିବେ। ତେବେ ଏ ସମୟରେ ମନ୍ଦିରକୁ ଅନ୍ୟ କୌଣସି ସ୍ଥାନୀୟ ଜନସାଧାରଣ କିମ୍ବା ଗାଇଡ଼, ଫଟୋଗ୍ରାଫର କିମ୍ବା ହସ୍ତଶିଳ୍ପ ବ୍ୟବସାୟୀଙ୍କୁ ଭିତରକୁ ଛଡାଯିବ ନାହିଁ ବୋଲି ଜଣାପଡିଛି। ଅପର ପକ୍ଷରେ ASI ପକ୍ଷରୁ ସ୍ବତନ୍ତ୍ର ଥିବା ଫୋଟ ଗ୍ରାଫରଙ୍କୁ କେବଳ ମନ୍ଦିର ଭିତରକୁ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ସୋମବାର ପ୍ରଥମ ଦିନରେ ମନ୍ଦିର ଖୋଲିବା ପରେ ସକାଳୁ ଖବର ଲେଖା ହେବା ପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ମନ୍ଦିର ବୁଲି ସାରିଲେଣି।





