ଭୁବନେଶ୍ଵର, (ବାଘୁଆବାର୍ତ୍ତା): କୁଆଡ଼େ ଗଲେ ସ୍ଵିଟି ରାୟ । କିଏ ଅପହରଣ କଲା ନା ନିଜ ଇଛାରେ କୁଆଡ଼େ ପଳାଇଲେ । ଭୁବନେଶ୍ଵରରେ ହଜିଗଲେ କଲିକତାର ଏରୋ ସ୍ପେସ୍ ଇଞ୍ଜିନିୟରିଂ ଛାତ୍ରୀ। ପଶ୍ଚିମବଙ୍ଗ ଚବିଶ ପ୍ରଗଣାର ୨୦ ବର୍ଷୀୟା ଛାତ୍ରୀ ସ୍ଵିଟି ରାୟ ବୁଧବାର ଜନ ଶତାବ୍ଦୀ ଟ୍ରେନ୍ରେ ହାୱଡାରୁ ଭୁବନେଶ୍ଵର ଆସିବା ପରେ ରେଳ ଷ୍ଟେସନରୁ ନିଖୋଜ ହୋଇଯାଇଛନ୍ତି। ଏନେଇ ନିଖୋଜ ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର କୋଳଥିଆ ଛକ ନିକଟରେ ଥିବା ଉତ୍କଳ ଏରୋ ସ୍ପେସ ଆଣ୍ଡ ଇଞ୍ଜିନୟରିଂ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ସ୍ଵିଟି ରାୟ। ପଶ୍ଚିମବଙ୍ଗ ଚବିଶ ପ୍ରଗଣାରେ ସ୍ଵିଟିଙ୍କ ଘର। ସେ ଜନ ଶତାବ୍ଦୀ ଟ୍ରେନ୍ରେ ହାୱଡାରୁ ଭୁବନେଶ୍ଵର ଆସିବା ପରେ ବୁଧବାର ରାତି ୮ଟା ୨୫ ମିନିଟ୍ରେ ଭୁବନେଶ୍ଵର ରେଳ ଷ୍ଟେସନ ୬ ନମ୍ଵର ପ୍ଲାଟଫର୍ମରୁ କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି। ତାଙ୍କର ମୋବାଇଲ୍ ଫୋନ୍ ମଧ୍ୟ ସ୍ଵିଚ୍ ଅଫ୍ ଆସୁଛି। ଫଳରେ ତାଙ୍କର ପରିବାର ଲୋକେ ସ୍ଵିଟିଙ୍କ ସହ ଯୋଗାଯୋଗ ନକରିପାରିବାରୁ ରେଳବାଇ ଥାନାରେ ଏତଲା ଦେଇଛନ୍ତି। ନିଖୋଜ ଯୁବତୀଙ୍କ ବାପା ମା ଆଜି ସନ୍ଧ୍ୟାରେ ଟ୍ରେନ ଯୋଗେ ଭୁବନେଶ୍ୱର ପହଁଚୁଥିବା ନେଇ ସୂଚନା ମିଳିଛି। ତେବେ ସ୍ଵିଟିଙ୍କୁ କେହି ଅପହରଣ କରିନେଇଛି ନା ସେ କୁଆଡ଼େ ନିଜେ ନିଜେ ଚାଲିଯାଇଛି। ତାହାକୁ ନେଇ ଏବେ ବଢୁଛି ସସପେନ୍ସ। ଅପର ପକ୍ଷରେ ସ୍ଵିଟିଙ୍କ ବାପା ଜଣେ ବିଏସଏଫ୍ ଯବାନ ହୋଇଥିବା ବେଳେ ତାଙ୍କ ଝିଅ ନିଖୋଜ ହୋଇଯିବା ଘଟଣା ସ୍ଵିଟିଙ୍କ ପରିବାରକୁ ବ୍ୟଥିତ କରିଛି।





