ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧିନ କିଆଝର ପଞ୍ଚାୟତ ଗିରିଡିପଲ୍ଲୀ ଗ୍ରାମର ସୁରେଶ ମହାକୁଡଙ୍କ ୧୬ ବର୍ଷର ନାବାଳିକା କନ୍ୟାକୁ ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଧିନ ରଗଡିସାହି ଗ୍ରାମର ଭୀମସେନ ବେହେରାଙ୍କ ପୁଅ ସଞ୍ଜୁ ଗତ ସେପ୍ଟେମ୍ବର ୧ ତାରିଖ ଅପରାହ୍ନରେ ଏକ ବାଇକ ଯୋଗେ ଅପହରଣ କରି ନେଇଥିବା ନେଇ ନାବାଳିକାର ପିତା ଖଣ୍ଡପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଅପହରଣକାରୀ ଯୁବକ ସଞ୍ଜୁ ବେହେରା ଓ ତାର ସଂପର୍କୀୟ ରଞ୍ଜି ମହାକୁଡଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାଯାଇଛି। ତେବେ ଘଟଣାର ୨୦ ଦିନ ପରେ ମଧ୍ୟ ପୋଲିସ ଅପହରଣକାରୀ ଯୁବକଙ୍କ ସମ୍ପର୍କରେ କୌଣସି ଟେର ପାଉନଥିବା ବେଳେ ପୋଲିସର କାର୍ଯ୍ୟକଳାପକୁ ନେଇ ନାବାଳିକାର ପରିବାରବର୍ଗ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖଣ୍ଡପଡ଼ା ପୋଲିସ ଠାରୁ ନ୍ୟାୟ ପାଇବାରେ ବିଳମ୍ବ ହେବାରୁ ନାବାଳିକାର ପରିବାରବର୍ଗ ଏ ସଂପର୍କରେ ନୟାଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟି ଏକ ଅଭିଯୋଗପତ୍ର ପ୍ରଦାନ କରିଥିବା ଜଣାଯାଇଛି। ଅପହରଣକାରୀ ଯୁବକ ଜଣକ ଗିରିଡିପଲ୍ଲୀ ଗ୍ରାମସ୍ଥିତ ତାର ସଂପର୍କୀୟ ରଞ୍ଜି ମହାକୁଡଙ୍କ ଘରକୁ ବାରମ୍ବାର ଯିବା ଆସିବା କରୁଥିବାରୁ ଏହି ଘଟଣା ପଛରେ ସେମାନଙ୍କ ହାତଥିବା ନେଇ ସନ୍ଦେହ ଜାତ ହୋଇଛି। ନାବାଳିକା ଅପହରଣ ଘଟଣାକୁ ପୋଲିସ ହାଲକା ଭାବେ ଗ୍ରହଣ ନକରି ଘଟଣାର ଖୋଳତାଡ଼ କରିବାକୁ ଦାବି ହେଉଛି। ଖଣ୍ଡପଡ଼ା ପୋଲିସ ଠାରୁ ନ୍ୟାୟ ନମିଳିଲେ ଉକ୍ତ ନାବାଳିକାର ପରିବାରବର୍ଗ ପରିଶେଷରେ ବାଧ୍ୟ ହୋଇ ଅଦାଲତର ଦ୍ବାରସ୍ଥ ହେବେ ବୋଲି ନାବାଳିକାର ବାପା ଗଣମାଧ୍ୟମର ପ୍ରତିନିଧି ମାନଙ୍କ ଆଗରେ ପ୍ରକାଶ କରିଛନ୍ତି।





