ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ବାଉଁଶିଆପଡ଼ା ସେବା ସମବାୟ ସମିତିରେ କଟନୀ ଛଟନୀକୁ ନେଇ ଆଜି ଲୋକେ ଉତ୍ୟକ୍ତ ହୋଇ ରାସ୍ତାରୋକ କରିଛନ୍ତି । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥକୁ ଲୋକେ ଦୀର୍ଘ ସମୟ ଧରି ଅବରୋଧ କରିଛନ୍ତି । ସମବାୟ ସମିତିରେ ମିଲରଙ୍କ ମନମାନୀ ଉତ୍କଟ ପରିସ୍ଥିତି ସୃଷ୍ଟି କରିଛି । ଜିଲ୍ଲାର ସମସ୍ତ ସମବାୟ ସମିତିରେ ୭ରୁ ୧୦ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରାଯାଉଛି । ବାଉଁଶିଆପଡ଼ା ସମବାୟ ସମିତିରେ କ୍ୱିଣ୍ଟାଲ ପିଛା ୧୦ କେଜି କଟନୀ ଛଟନୀକୁ ନେଇ ଆଜି ପରିସ୍ଥିତି ଭୟାବହ ହୋଇଛି । ରାସ୍ତାରୋକରେ ବିଜେପି କୃଷକ ନେତା ସନ୍ତୋଷ ପ୍ରଧାନ, ବସନ୍ତ ପଟ୍ଟନାୟକ ପ୍ରମୂଖ ସାମିଲ ହୋଇ ମିଲରଙ୍କ ମନମାନୀକୁ ଜୋରଦାର ବିରୋଧ କରିଛନ୍ତି । ରାଜ୍ୟ ସରକାର କଟନୀ ଛଟନୀ କରିବାକୁ ବାରଣ କରିଥିବା ବେଳେ ନୟାଗଡ଼ ଜିଲ୍ଲାରେ ମିଲରମାନେ ମନଇଚ୍ଛା କଟନୀ ଛଟନୀ କରୁଥିବା ଚାଷୀ ଓ ନେତା ଅଭିଯୋଗ କରିଛନ୍ତି । ରାସ୍ତାରୋକ ଖବର ପାଇ ଇଟାମାଟି ଥାନା ପୁଲିସ ପହଞ୍ଚି ବୁଝାଶୁଝା କରିଥିଲା । ମାତ୍ର ଚାଷୀ ମଣ୍ଡି ଅବ୍ୟବସ୍ଥା ସୁଧାରିବା ଦାବିରେ ଅଟଳ ରହିଥିଲେ । କିଛିଦିନ ତଳେ ବାଉଁଶିଆପଡ଼ା ଅଞ୍ଚଳର ଶତାଧିକ ଚାଷୀ ଜିଲ୍ଲାପାଳଙ୍କୁ ଭେଟି ଏନେଇ ଅଭିଯୋଗ କରିଥିବା ବେଳେ କୈାଣସି ସୁଫଳ ମିଳିନଥିଲା । ଯାହାକୁ ନେଇ ଆଜି ଚାଷୀ ରାସ୍ତାକୁ ଓହ୍ଲାଇଥିଲେ । ଜିଲ୍ଲା ଯୋଗାଣ ଅଧିକାରୀ ବଜେନ୍ଦ୍ର କୁମାର ମହାନ୍ତି, ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପ୍ରମୂଖ ଉକ୍ତ ସ୍ଥାନରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିଥିବା ଜଣାପଡ଼ିଛି । ଜାତୀୟ ରାଜପଥ ଉପରେ ରାସ୍ତାରୋକ ଫଳରେ ଶତାଧିକ ଯାନବାହାନ ଉଭୟ ପାଶ୍ୱର୍ରେ ଅଟକି ଥିବା ଦେଖାଯାଇଥିଲା ।





