ନୟାଗଡ଼, (ବାଘୁଆବାର୍ତ୍ତା) : ଗାଁକୁ ଆମ୍ବୁଲାନ୍ସ ଯାଇ ନପାରିବାରୁ ଆମ୍ବୁଲାନ୍ସ ଡ୍ରାଇଭର ଓ କର୍ମଚାରୀମାନେ ରୋଗୀକୁ ୪କିଲୋମିଟର ରାସ୍ତା ଖଟିଆରେ ବୋହି ଡାକ୍ତରଖାନାରେ ପହଂଚାଇଥିବା ଜଣାଯାଇଛି । ସୂଚନାନୁସାରେ, ଦଶପଲ୍ଲା ବ୍ଲକ ବାଣିଗୋଚ୍ଛା ଥାନା ଅନ୍ତର୍ଗତ କଙ୍କଡ଼ାମେଣ୍ଢି ପଂଚାୟତର ବୁରୁପାଲ୍ଲୀ ଗ୍ରାମର ହରିହର ନାୟକଙ୍କ ପୁଅ ହଜାରି ନାୟକ ଆଜି ସକାଳୁ ହଠାତ୍ ଅଚେତ ହୋଇପଡ଼ିଥିଲେ । ଏନେଇ ଗ୍ରାମବାସୀଙ୍କଠାରୁ ଖବରପାଇ ଦଶପଲ୍ଲାରୁ ୧୦୮ ଆମ୍ବୁଲାନ୍ସ ତାଙ୍କୁ ଡାକ୍ତରଖାନା ଆଣିବାକୁ ଯାଇଥିଲା । ମାତ୍ର ଗ୍ରାମକୁ ରାସ୍ତା ନଥିବା ଏବଂ ଯେଉଁ ରାସ୍ତା ଅଛି ତାହା ଅତ୍ୟନ୍ତ ଖରାପ ହୋଇଥିବାରୁ ଗାଁକୁ ଆମ୍ବୁଲାନ୍ସ ଯିବା ସମ୍ଭବ ହୋଇନଥିଲା । ଫଳରେ ଆମ୍ବୁଲାନ କର୍ମଚାରୀ ଚାରି କିଲୋମିଟର ଚାଲି କରି ଯାଇ ରୋଗୀଙ୍କୁ ଗ୍ରାମବାସୀଙ୍କ ସହାୟତାରେ ଖଟିଆରେ ବୋହି ଆଣି ଗାଡ଼ି ନିକଟରେ ପହଂଚିଥିଲେ । ସେଠାରୁ ଅସୁସ୍ଥ ହଜାରିଙ୍କୁ ଆମ୍ବୁଲାନ୍ସ ସହାୟତାରେ ଆଣି ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତୀ କରାଯାଇଛି ।





