ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ତହସିଲ ଅଧିନ ସିଂଘାପଡା ପଞ୍ଚାୟତ ବେଡାଙ୍କି ପଥର ଖଣିରୁ ବେଆଇନ ଭାବେ କମ୍ପ୍ରେସର ଓ ବିସ୍ଫୋରକ ସାମଗ୍ରୀ ସାହାର୍ୟ୍ୟରେ ବର୍ଷ ବର୍ଷ ଧରି ଲଘୁ ଖଣିଜ ସମ୍ପଦ ଲୁଟ କରି ଆସୁଥିବା ନେଇ ପ୍ରଶାସନ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନ, ଖଣି ବିଭାଗ ଅଧିକାରୀ ଇଶ୍ୱର ଚନ୍ଦ୍ର ପ୍ରଧାନ ପୁଲିସ ଟିମ ସହ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଗୋଟିଏ ନୀଳ ରଙ୍ଗର ଟ୍ରାକ୍ଟର, ଗୋଟିଏ କମ୍ପ୍ରେସର ମେସିନ, ୨୩୮ ଗୋଟି ଆଲୁମିନିୟମ ଡୋଟୋନେଟର ସମେତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଥିବା ଜଣାଯାଇଛି। ଏହି କାରବାରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଭାପୁର ବ୍ଲକ ଅଧୀନ ବଳଦିଆ ନୂଆଗାଁର ପୀତବାସ ବେହେରା, ପଥରପୁଞ୍ଜି ଗ୍ରାମର ଉପେନ୍ଦ୍ର କୁମାର ସ୍ୱାଇଁ, ବାଘୁଆପଲ୍ଲୀ ଗ୍ରାମର ସୁଦାମ ମଲ୍ଲିକ ସମେତ କେନ୍ଦୁଝର ଜିଲ୍ଲାର ତୁରୁମୁଙ୍ଗା ଥାନା ଅଧୀନ ମଙ୍ଗଳପୁର ଗ୍ରାମର ବେଲାରସେନ ପାତ୍ର ଓରଫ ବାଦଲକୁ ପୁଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଏ ସମ୍ପର୍କରେ ଏକ ମାମଲା ରୁଜ୍ଜୁ ହୋଇଥିବା ଖଣ୍ଡପଡ଼ା ଏସ୍ଡିପିଓ ମଦନ ମୋହନ ପ୍ରଧାନଙ୍କ ଠାରୁ ପ୍ରକାଶ। ପୁଲିସର ଏହି ଚଢାଉ ଅଭିଯାନ ପରେ ଖଣ୍ଡପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରୁ ଲଘୁଖଣିଜ ସମ୍ପଦ ଲୁଟ କରୁଥିବା ମାଫିଆଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି। ଉକ୍ତ ସ୍ଥାନରେ ଦୀର୍ଘବର୍ଷ ଧରି ବେଆଇନ ଭାବେ ପଥରଖଣି ଚଳାଇଥିବା ମାଷ୍ଟରମାଇଣ୍ଡ ମାଫିଆଙ୍କୁ ତୁରନ୍ତ ଗିରଫ କରିବାକୁ ସାଧାରଣରେ ଦାବି ହେଉଛି।






