ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକରେ ଯନ୍ତ୍ରୀ ବଦଳିକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । ସୂଚନାନୁସାରେ, ଖଣ୍ଡପଡ଼ା ବ୍ଳକର ସହକାରୀ ଯନ୍ତ୍ରୀ ଇଂ ବୃନ୍ଦାବନ ବରିହାଙ୍କର ବଦଳି ଆଦେଶକୁ ବାତିଲ ଦାବିରେ ସୋମବାର ଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ୨ୟ ଦିବସରେ ପହଁଚିଛି । ବ୍ଳକ ଅଧ୍ୟକ୍ଷ ମନୋଜ କୁମାର ପ୍ରଧାନଙ୍କ ନେତୃତ୍ୱରେ ପଂଚାୟତସ୍ତରୀୟ ଲୋକ ପ୍ରତିନିଧିମାନେ ଏକତ୍ରୀତ ହୋଇ ଆନ୍ଦୋଳନକୁ ଜୋରଦାର କରିଥିବା ଜଣାଯାଇଛି । ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଅଧ୍ୟକ୍ଷ ଓ ତାଙ୍କ ସମର୍ଥକ ମାନେ ମଙ୍ଗଳବାର ଦିନତମାମ ଧାରଣା ଦେଇଛନ୍ତି । ସହକାରୀ ଯନ୍ତ୍ରୀଙ୍କ ବଦଳି ଆଦେଶ ବାତିଲ ଦାବିନେଇ ଚାଲିଥିବା ଆନ୍ଦୋଳନ ଯୋଗୁଁ ବ୍ଳକ କାର୍ଯ୍ୟାଳୟରେ ଅଚଳାବସ୍ଥା ଦେଖାଦେଇଛି । ଗତ ୨ଦିନ ଧରି ତାଲା ବନ୍ଦ ଆନ୍ଦୋଳନ ଓ ହରତାଳ ଚାଲୁ ରହିଥିଲେ ହେଁ ଏଭଳି ଏକ ଘଟଣାରେ ଖଣ୍ଡପଡ଼ା ବିଧାୟକ ଓ ନୟାଗଡ଼ ଜିଲ୍ଲାପାଳ ସଂପୂର୍ଣ୍ଣ ନୀରବ ରହିବା ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏନେଇ ଜିଲ୍ଲାପାଳ କିଛି ନିଷ୍ପତ୍ତି ନେଇ ବ୍ଲକର ଅଚଳାବସ୍ଥା ଦୂର କରିବାକୁ ବୁଦ୍ଧିଜିବୀ ମହଲରୁ ଦାଦି ହେଉଛି ।






