ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ ଓ କଂଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରୁ ଜଣେ କର୍ମଚାରୀଙ୍କ ସମେତ ଖଳିସାହି ଗ୍ରାମରୁ ଜଣେ ୧୮ ବର୍ଷ ବୟସର ଯୁବକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ନେଇ ଚିହ୍ନଟ ହେବା ପରେ ସାଧାରଣରେ ଆତଙ୍କ ଖେଳିଯାଇଛି । ଗତ ୧୦ ଦିନ ତଳେ ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କଂଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର କର୍ମଚାରୀମାନଙ୍କ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯାଇଥିଲା । ସେମାନଙ୍କ ମଧ୍ୟରେ ଦୁଇ ଜଣଙ୍କ ରିର୍ପୋଟ ପଜିଟିଭ୍ ଆସିଥିବା ଜଣାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ କରୋନା ସଂକ୍ରମିତ ହେବା ପରେ ଖଣ୍ଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ରବିବାର ସକାଳ ୮ଟାରୁ ଆସନ୍ତାକାଲି ସୋମବାର ସକାଳ ୮ଟା ପର୍ଯ୍ୟନ୍ତ ସିଲ କରି ଦିଆଯାଇଥିବା ଜଣାଯାଇଛି । କେବଳ ଜରୁରୀକାଳୀନ ସେବା ଯୋଗାଇ ଦିଆଯିବ ବୋଲି ଜଣାଯାଇଛି । ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଫାଟକକୁ ବନ୍ଦ କରି ଦିଆଯିବା ସହ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜ କରାଯାଇଛି । ସୂଚନାଯୋଗ୍ୟ ଖଳିସାହି ଗ୍ରାମରୁ ପୁଣି ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ପରେ ପୁନର୍ବାର ସ୍ଥାନୀୟ ଅଂଚଳରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି ।





