ନୟାଗଡ଼, (ବାଘୁଆବାର୍ତ୍ତା) : ଖଣ୍ଡପଡ଼ା ଥାନା ଅଧିନ ଗୋଲାବୋଦସା ଗ୍ରାମରେ ଗତ ଜୁନ ୧୫ ତାରିଖରେ ମଧ୍ୟାହ୍ନଭୋଜନରେ ବିଷକ୍ରୀୟା ଯୋଗୁଁ ଭାଗିରଥି ସ୍ୱାଇଁ(୬୦) ଓ ପତ୍ନୀ କୈାଶଲ୍ୟା ସ୍ୱାଇଁ(୫୪)ଙ୍କ ଅକାଳ ମୃତ୍ୟୁ ଘଟଣାରେ ରବିବାରଠାରୁ ଖଣ୍ଡପଡ଼ା ଥାନା ହାଜତରେ ଅଟକ ଥିବା ୩ ଅଭିଯୁକ୍ତଙ୍କୁ ପୋଲିସ ସୋମବାର କୋର୍ଟ ଚାଲାଣ କରିଥିଲା । କୋର୍ଟରେ ଜାମିନ ନାମାଞ୍ଜୁର ହେବାରୁ ସେମାନଙ୍କୁ ଖଣ୍ଡପଡ଼ା ସବ୍ଜେଲକୁ ପଠାଇ ଦିଆଯାଇଥିବା ଜଣାଯାଇଛି । ଜେଲ ଯାଇଥିବା ଅଭିଯୁକ୍ତମାନେ ହେଲେ ମୃତ ଭାଗିରଥିଙ୍କ ସାନଭାଇ ଲକ୍ଷ୍ମୀଧରଙ୍କ ପତ୍ନୀ ନର୍ମଦା ସ୍ୱାଇଁ ଓ ନର୍ମଦାଙ୍କ ବଡ ଭଉଣୀ ସୁକାନ୍ତି ପ୍ରଧାନ ଓ ଭିଣୋଇ ଅବସରପ୍ରାପ୍ତ ଶିକ୍ଷକ ହରିହର ପ୍ରଧାନ ବୋଲି ଖଣ୍ଡପଡ଼ା ପୋଲିସ ସୁତ୍ରରୁ ଜଣାପଡିଛି । ଭଉଣୀ ଓ ଭିଣୋଇଙ୍କ ପ୍ରରୋଚନାରେ ନର୍ମଦା ଦେଢ଼ଶୁର ଓ ବଡଯାଆଙ୍କୁ ତରକାରୀରେ ବିଷ ମିଶାଇ ମାରି ଦେଇଥିବା ଅଭିଯୋଗ ହୋଇଛି । ଅବସରପ୍ରାପ୍ତ ଶିକ୍ଷକ ହରିହରଙ୍କ ସାନଭାଇ ଯୋଗୀନାଥ ପ୍ରଧାନ ଉପରୋକ୍ତ ଘଟଣାର ମାଷ୍ଟରମାଇଣ୍ଡ ବୋଲି ଖଣ୍ଡପଡା ଥାନାରେ ଦାୟର ହୋଇଥିବା ଲିଖିତ ଅଭିଯୋଗପତ୍ରରୁ ଜଣାପଡିଛି । ତେବେ ମୃତ ଦମ୍ପତିଙ୍କ ବଡପୁଅ ସୁବାସ ଚନ୍ଦ୍ର ସ୍ୱାଇଁଙ୍କ ଲିଖିତ ଅଭିଯୋଗକ୍ରମେ ପୋଲିସ ଯୋଗୀନାଥଙ୍କ ସମେତ ୪ଜଣଙ୍କ ନାମରେ ବିଭିନ୍ନ ଦଫାରେ ମାମଲା ରୁଜୁ କରିଥିବା ଆଇଆଇସି ବିମଳ କୁମାର ମଲ୍ଲିକଙ୍କଠାରୁ ପ୍ରକାଶ । ତେବେ ଅନ୍ୟତମ ଅଭିଯୁକ୍ତ ସୁଦୁର ସୁରଟରେ ରହୁଥିଲେ ହେଁ ଖୁବଶିଘ୍ର ତାକୁ ଗିରଫ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରୀୟା ପ୍ରକାଶ ପାଇଥିବା ବେଳେ ଗୋଲା ବୋଦସା ଗ୍ରାମବାସୀଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।





