ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଖଳିସାହି ବଜାରରେ ହୋଇଛି ବୋମା ମାଡ଼ । ତିନି ଜଣ ଯୁବକ ଏହି କାଣ୍ଡ ଘଟାଇଥିବା ବେଳେ ବଜାରର ବ୍ୟବସାୟୀମାନେ ଏକତ୍ରିତ ହୋଇ ସେମାନଙ୍କୁ ଧରି ପୁଲିସରେ ଦେଇଛନ୍ତି । ସୂଚନାନୁସାରେ, ଇଚ୍ଛାପୁର ଗ୍ରାମର ରାଉଳ ନାଏକ ପୁଅ ଆଲୋକ ନାଏକ, ବିଶ୍ୱନାଥ ନାଏକ ପୁଅ ଜିତେନ ନାଏକ ଏବଂ ଅନ୍ୟଜଣେ ଯୁବକ ଏକ ମୋଟର ସାଇକେଲରେ ଆସି ହଠାତ୍ ଏକ ଦୋକାନ ଉପରକୁ ଟେକାପଥର ଫିଙ୍ଗିବା ସହ ବୋମା ମାଡ଼ କରିଥିଲେ । ଫଳରେ ବ୍ୟବସାୟୀ ଶରତ ମହାପାତ୍ର ପାଟି କରିବାରୁ ଲୋକମାନେ ସେମାନଙ୍କୁ କାବୁ କରି ପୁଲିସରେ ଜିମା ଦେଇଥିବା ବେଳେ ଏନେଇ ଶରତ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ସେମାନଙ୍କଠାରୁ ଅଫୁଟା ବୋମା ଜବତ କରିବା ସହ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି ।






