ଚାଷୀମୁଣ୍ଡରେ ଚଡକ
ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ସାରା ବିଶ୍ୱରେ କରୋନାର ଭୟାବହତା ଲାଗିରହିଥିବା ବେଳେ ଭାରତ ତଥା ବିଭିନ୍ନ ରାଜ୍ୟରେ କରୋନାର ପ୍ରକୋପ ଲାଗିରହିଛି । ରାଜ୍ୟ ସରକାର କରୋନା ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସେହିପରିଭାବେ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନାର ମୁକ୍ତି ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି । ସାରା ଭାରତବର୍ଷରେ ଲକ୍ଡାଉନ୍ କରାଯାଇଥିବା ବେଳେ ଏହାର ପ୍ରଭାବରେ ଅନେକ ଲୋକଙ୍କ ବେଉଷାକୁ ବାଟବଣା କରିଦେଇଛି । ନୟାଗଡ଼ ଜିଲ୍ଲାପରି ଏକ କୃଷିଜାତ ଜିଲ୍ଲାରେ କୃଷକମାନେ ମୁଖ୍ୟତଃ କୃଷି ଉପରେ ନିର୍ଭର କରି ଜୀବନ ଜୀବିକା କଟାନ୍ତି । ନୟାଗଡ଼ ଜିଲ୍ଲାର ପନିପରିବା ଉତ୍ପାଦନ ସମୟରେ ହଠାତ୍ ଲକ୍ଡାଉନ୍ର ପ୍ରଭାବ କୃଷକମାନଙ୍କ ଉପରେ ପଡିଛି ।

ରାଜ୍ୟ ସରକାର କୃଷକମାନଙ୍କ ପାଇଁ କୋହଳ ମନୋଭାବ ରଖିଥିଲେ ମଧ୍ୟ ବଜାରର ଚାହିଦା ଓ ପ୍ରାକୃତିକ ବିପର୍ଯ୍ୟୟ କୃଷକର ମେରୁଦଣ୍ଡକୁ ଭାଙ୍ଗିଦେଇଛି । ମୁଖ୍ୟତଃ ଭାବେ ବାଇଗଣ, ଟମାଟ, ପୋଟଳ, ଝୁଡୁଙ୍ଗ, କୋବି, କଖାରୁ, କଲରା, ଭେଣ୍ଡି ପରି କୃଷି ଉତ୍ପାଦିତ ସାମଗ୍ରୀ ଏହି ସମୟରେ ବେଶି ଉତ୍ପାଦନ ହୋଇ ଭୁବନେଶ୍ୱର ଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲାକୁ ରପ୍ତାନି କରାଯାଏ । ଗୋଟଏ ପକ୍ଷରେ ବିଭିନ୍ନ ହୋଟେଲ୍ ଓ ରେଣ୍ଟୁରାଣ୍ଟ ଗୁଡିକ ବନ୍ଦ ରହିବା, ବଜାରର ଚାହିଦା କମୁଥିବା ବେଳେ ଚାଷୀର ଉତ୍ପାଦନ ସଂଖ୍ୟା ବୃଦ୍ଧି ପାଇଛି । ଲକ୍ଡାଉନ୍ ପ୍ରଭାବରେ ବାହାର ଜିଲ୍ଲାକୁ ଚାଷୀମାନେ ପନିପରିବା ପଠାଇପାରୁନାହାନ୍ତି । ଏଭଳି ଚିନ୍ତା ଚାଷୀ ମୁଣ୍ଡରୁ ହଟୁନଥିବା ବେଳେ କାରବୈଶାଖୀ ଏବେ କରୋନାର ସାଥୀ ପାଲଟିଛି । ପ୍ରତ୍ୟେକଦିନ ହେଉଥିବା କାଳବୈଶାଖୀ ଲାଗି କୁଆପଥରମାଡ଼, ବର୍ଷା, ପବନ ଅନେକ ଫସଲ ନଷ୍ଟ କରୁଛି । ଯେଉଁଥିପାଇଁ କି ଚାଷୀ ମୁଣ୍ଡରେ ହାତ ଦେଇ ବସିବାକୁ ପଡୁଛି । ରାଜ୍ୟ ସରକାର କୃଷକମାନଙ୍କ ପାଇଁ ଲକ୍ଡାଉନ୍ କୋହଳ କରିଥିଲେ ମଧ୍ୟ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ସେମାନଙ୍କର ଚିନ୍ତା ବଢାଇଛି । ଗୋଟିଏପଟେ ଆଇନ୍ଶୃଙ୍ଖଳାର ପରିସ୍ଥିତି ଓ ଅନ୍ୟପଟେ ପ୍ରାକୃତ୍ରିକ ବିପର୍ଯ୍ୟୟ ଚାଷୀ ମୁଣ୍ଡରେ ଚଡକ ପଡିଛି । କ୍ଷେତମାନଙ୍କରେ ଯେଉଁ ପରିମାଣର ଆର୍ଥିକ ବିନିଯୋଗ କରାଯାଇଛି ଏହାର ମୂଳ ପଇସା ପାଇବା ଚାଷୀପାଇଁ କାଠିକର ପାଠ ହୋଇପଡିଛି । କରୋନାର ପ୍ରଭାବରେ ଲକ୍ଡାଉନ୍ ଠାରୁ ବଳି ପଡିଛି କାଳବୈଶାଖୀ ।






