ନୟାଗଡ଼, (ବାଘୁଆବାର୍ତ୍ତା) : ରଣପୁର ବ୍ଲକ ଚାନ୍ଦପୁର ଅଂଚଳର ମାଫିଆ ତଥା ଦଲାଲ୍ କାହ୍ନୁର ସହଯୋଗୀ ରଘୁନାଥ ପ୍ରଧାନ ଓରଫ କାଳିଆକୁ ପୁଲିସ ଆଜି ଗିରଫ କରିଛି । ଏହି ବ୍ୟକ୍ତି କାହ୍ନୁର ବେଆଇନ ମଦ କାରବାରରେ ଭାଗୁଆଳି ରହିଥିବା ଥାନା ଅଧିକାରୀ ରଶ୍ମି ରଂଜନ ଦାଶଙ୍କଠାରୁ ସୂଚନା ମିଳିଛି । ଚାନ୍ଦପୁର ଥାନା ଅନ୍ତର୍ଗତ ରାଇପଡ଼ା ଗୋଷ୍ଠୀ ସଂଘର୍ଷ ଘଟଣାରେ କାହ୍ନୁର ସଂପୃକ୍ତି ଥିବା ଜଣାପଡ଼ିବା ପରେ ପୁଲିସ କାହ୍ନୁ ନାମରେ ମାମଲା ରୁଜୁ କରିଥିଲା । ଯାହାକୁ ନେଇ କାହ୍ନୁର ଗ୍ୟାଙ୍ଗ ବିଭିନ୍ନ ଲୋକଙ୍କୁ ଅସ୍ତ୍ରକରି ରଣପୁର ଥାନା ଅଧିକାରୀଙ୍କ ନାମରେ କୋର୍ଟରେ ୩ଟି କେଶ କରିଛନ୍ତି । ରଣପୁର ଥାନା ଅଧିକାରୀ ଚାନ୍ଦ ଆଦାୟ କରୁଥିବା ଏବଂ ନିର୍ଯ୍ୟାତନା ଦେଉଥିବା ଭଳି ଅଭିଯୋଗ ହୋଇଥିବା ବେଳେ ଏଥିରେ ରଘୁନାଥ ପ୍ରଧାନର ପôତୀ ମଧ୍ୟ ଏକ କେଶ କରିଥିବା ଜଣାଯାଇଛି । ଗତକାଲି ଥାନା ଅଧିକାରୀ ରଘୁନାଥଙ୍କୁ ଉଠାଇ ଆଣିଥିବା ବେଳେ ତଦନ୍ତ ପରେ ଆଜି ତାକୁ ଗିରଫ କରିଥିବା ଜଣାଯାଇଛି । ଅନ୍ୟପକ୍ଷେ, କୋର୍ଟରେ ପୁଲିସ ବିରୁଦ୍ଧରେ କେଶ କରିଥିବା ଅନ୍ୟ ଦୁଇ ଜଣ ଫେରାର ହୋଇ ଯାଇଥିବା ସୂଚନା ମିଳିଛି । ନିଜକୁ ବିଭିନ୍ନ ବିଭାଗର କମିଶନର ଭାବେ ପରିଚୟ ଦେଉଥିବା କାହ୍ନୁ ଚାନ୍ଦପୁର ଅଂଚଳରେ ଆତଙ୍କ ଖେଳାଇ କୋଟି କୋଟି ଟଙ୍କା ଠକି ନେଇଥିବା ବେଳେ ସରକାରୀ ରାଜସ୍ୱ ଉପରେ ମଧ୍ୟ ତାହାର ନଜର ରହିଥିଲା । ଏବେ ପୁଲିସ କାହ୍ନୁକୁ ଟାର୍ଗେଟ କରିଥିବା ବେଳେ କାହ୍ନୁ ମଧ୍ୟ ପୁଲିସକୁ ଚେକ୍ ଦେବାକୁ ଚାଲ୍ ଚଲାଇଥିବା ଜଣାଯାଇଛି ।






